Unknown

 

 

 

 

 

 

 

 

 

 

 

ଶିଳ୍ପୀ

ନୀଳକଣ୍ଠ ଦାଶ

 

ଅଭ୍ୟର୍ଥନା

 

ଓଡ଼ିଆ ଜାତିର ଚାରୁ ଶିଳ୍ପକଳା

ମନ୍ଦିର ବକ୍ଷେ ରାଜଇ

କୋଣାରକ ଲିଙ୍ଗ- ରାଜ ଦାରୁବ୍ରହ୍ମ

ବିଜେ ହୋଇଛନ୍ତି ଯହିଁ । ୧ ।

ରାଜାରାଣୀ ଆଦି ଅସଂଖ୍ୟ ମନ୍ଦିର

ମୂକସାକ୍ଷୀ ଆଜି ତାର

ଦେଶ ବିଦେଶରେ କୀରତି ପତାକା

ଉଡ଼ୁଥାଏ ସଦା ଯା’ର । ୨ ।

ଯେ ଜାତିର ପୁଏ ପାଷାଣ ଦେହରେ

ସୂଚୀ ସୂକ୍ଷ୍ମ କାମ କରି

ରଖି ଯାଇଛନ୍ତି ଅକ୍ଷୟ ବିଭବ

ଗର୍ବ ନୋହିବ କାହାରି ? । ୩ ।

ପ୍ରସ୍ତର ଚକର ଆରେକ ଉପର

ବସାଇ ରମଣୀ ମୂର୍ତ୍ତୀ

ମସ୍ତକ ଶୋଭିତ ସୁମନ ଗଳିତ-

ମକରନ୍ଦ ପାନ ବ୍ରତୀ । ୪ ।

ଉଡ଼ୁଥିବା ଅଳି ସୁଯତନେ ଖୋଳି

ଫୁଟାଇବ କେ ସୁଷମା ?

ଅଛିକି ଜଗତେ ବିନ୍ଧାଣୀ କହତ

ଦେବାକୁ ତାରେ ଉପମା ? । ୫ ।

ଏପରି ଜୀବନ୍ତ ମୂର୍ତ୍ତୀ ଗଢ଼ିଥିଲେ-

ଯେ ଜାତିର ଶିଳ୍ପୀଗଣ

‘ପାରଙ୍ଗମ ଶିଳ୍ପୀବୋଲି କହିବାକୁ

(ଆଜି) ସଂକୋଚି ଯାଉଛି ମନ । ୬ ।

ହାୟରେ ଓଡ଼ିଆ ! କେଡ଼େ ମାନହୀନ

ହୋଇଛୁ ସବୁ କଥାରେ,

ଭାବୁ କିରେ ଥରେ ଲବେ କିଞ୍ଚିତରେ

ତୋର ସେ ତୀକ୍ଷ୍‌ଣ ମଥାରେ ? । ୭ ।

ପଛ କଥା ପଛେ ପକାଇ ଯଦି ତୁ

କମର ବାନ୍ଧି ଉଠିବୁ

ତୋ ହୃଦ ନିହିତ ଶକତି ବଳରେ

ହୃତ ଶକତି ଲଭିବୁ । ୮ ।

ବିଶ୍ୱ ବିପଣିରେ ସାଜି ପ୍ରଦର୍ଶନୀ

ବାଢ଼େ ତୋ ଶିଳ୍ପ ବିଭବ

ଅପଲକ ନେତ୍ରେ ନିରେଖିବେ ସର୍ବେ

ବଢ଼ିଯିବ ତୋ ଗୌରବ । ୯ ।

ଅବିଶ୍ୱାସ ଭାବ ମନୁ ଲିଭିଯିବ

ଦେଖି ତୋ ହସ୍ତ ପାଟବ

ପରିଶ୍ରମ ବଳେ ପାଇବୁ ଅଚିରେ

ପୁଣି ତୋ ଗତ ଗୌରବ । ୧୦ ।

ବିଗତ ବିଭବ କୀରତି ସରବ

ଗାଉଥିବୁ କିରେ ସଦା

ନୁହେଁ ପ୍ରକୃତରେ ଏ ବଡ଼ ପଣିଆ

ନ ପାଇବୁ ଯଶ କଦା । ୧୧ ।

ପୂର୍ବ ପୁରୁଷର କୂପ ବୋଲି କିରେ

ଗୋଳି ପିଉଥିବା ପଙ୍କ

ଦେଖିଣ ଇତରେ କହିବେ ନାହିଁକି

ଅଳସୁ ଏ ପାଣିରଙ୍କ ? । ୧୨ ।

ଜାଗି ଉଠ ଭାଇ ! ଆଉ ବେଳ ନାହିଁ

ଜାଣିଲେଣି ସବୁଜାତି

ଅଳସକୁ ତେଜି ସଂଦେହ ବରଜି

ଉଠ ତୁ କରମେ ମାତି । ୧୩ ।

★★★

 

ପଦେ

 

ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନୀଳକଣ୍ଠ ଦାସଙ୍କ ପ୍ରଣୀତ ‘ଶିଳ୍ପୀ’ କାବ୍ୟର ପାଣ୍ଡୁଲିପିଟି ଆମୂଳଚୂଳ ପାଠକରି ସବିଶେଷ ପ୍ରୀତ ହେଲି, ମୁଘୁସର ରାଜା ଓ ସୁଦକ୍ଷ୍ୟ କାରିଗର ହରିହର ଏଇ ଦୁଇଟି ଚରିତ୍ର କାବ୍ୟ ଭୂମିକାରେ ବିଶିଷ୍ଟ ଭାଗ ନେଇଥିଲେ ସୁଦ୍ଧା କାରିଗର ଝିଅ ଏବଂ ଅନ୍ୟ କେତୋଟି ଚରିତ୍ର ସମଗ୍ର ବିଷୟବସ୍ତୁର ରସାଳତା ଓ ସାର୍ଥକତା ପ୍ରତିପାଦନ କରିବାରେ ଯଥୋଚିତ ପରିକଳ୍ପନା-ସୌଷ୍ଟବରେ ସଜ୍ଜିତ ହୋଇ ଅଛନ୍ତି, ସନ୍ଦର୍ଭଟି କିମ୍ବଦନ୍ତୀ ଉପରେ ପ୍ରତିଷ୍ଠିତ; ମାତ୍ର କାବ୍ୟସମ୍ବଳିତ ଉପାଦାନଗୁଡ଼ିକ ଏଡ଼େ ଜୀବନ୍ତ ଓ ଚିତ୍ତାକର୍ଷକ ହୋଇଛି ଯେ, ବଳିଷ୍ଠ ବିନ୍ୟାସ ତଥା ସୁଚିନ୍ତିତ ଯୋଜନା ଦୃଷ୍ଟିରୁ ଘଟନାଟି ବାସ୍ତବାତୀତ ହେବା ପରିବର୍ତ୍ତେ ଅତି ବାସ୍ତବ–ସୌନ୍ଦର୍ଯ୍ୟସମ୍ଭାରରେ ସମ୍ଭୃତ ହୋଇଥିଲା ପରି ମନେହୁଏ । ଭାଷା ସରଳ, ନିରାଡ଼ମ୍ବର ଅଥଚ ଭାବ ବିନିବେଶ ଓ କାବ୍ୟୋତ୍କର୍ଷ କଳ୍ପନାରେ ଉନ୍ନତ ସ୍ତରକୁ ଉନ୍ନୀତ ହେବା ଫଳରେ ପାଠକ ମନ ସ୍ୱତଃ ରସାନନ୍ଦର ଅପୂର୍ବ ଆବେଗରେ ଉଦବେଳିତ ହୋଇ ଉଠେ । ଲଳିତ ପଦ ଯୋଜନା, ଆର୍ଯ୍ୟହୃଦୟୋଚିତ ନୀତିଗୁଡ଼ିକର ବିଶ୍ଳେଷଣ, ଜାତିୟ-ଜୀବନର ମହନୀୟ, କର୍ମପ୍ରେରଣା, କଳିଙ୍ଗର ସୁବିଦିତ ଶିଳ୍ପ ନୈପୁଣ୍ୟ, ଆର୍ଯ୍ୟଜୀବନ ନିୟାମକ ସଂସ୍କାର ପରମ୍ପରା; ଏବଂ ସର୍ବୋପରି ବିଷୟ ବିନିହିତ ନାନାବିଧ ସରସ ଛାତ୍ରଗୁଡ଼ିକର ମଧୁର ସମନ୍ୱୟ ‘ଶିଳ୍ପୀ’ କାବ୍ୟରେ ଦରିଦ୍ର ଶିଳ୍ପୀର ଆଦର୍ଶ କର୍ମାନୁସୃତ ଜୀବନର କମନୀୟତା ଦେଖାଇବା ସଙ୍ଗେ ସଙ୍ଗେ କାବ୍ୟ ଶିଳ୍ପୀଙ୍କର ଜୀବନ ପାରଗତା ଓ ଯୋଜନା ପାଟବକୁ ଯୁଗୋଚିତ ପରିବେଷଣକ୍ରମେ ପ୍ରକଟନ କରି ପାରିଛି ।

ଶିଳ୍ପୀ ଓଡ଼ିଆ ଦିନେ ଅସାଧ୍ୟ ସାଧନ କରି ପାରୁଥିଲା ଏବଂ ତାହାର ଅନବଦ୍ୟ ଶିଳ୍ପ ନୈପୁଣ୍ୟ ଅପ୍ରତିଦ୍ୱନ୍ଦୀ ଭାବରେ ଦେଦୀପମାନ ହୋଇ ଉଠିବା ସଙ୍ଗେ ସଙ୍ଗେ କୁତ୍ସିତ ଖଳ ମନୋଭାବର ସଂଶୋଧନ ଓ ସଂସ୍କାର ଆନୟନ କରିବାରେ କିପରି କର୍ମଜୀବନର ପ୍ରଚୋଦକ ଓ ପଥ ପ୍ରଦର୍ଶକ ହୋଇପାରିଥିଲେ ତାହାହିଁ କବିଙ୍କ କଳ୍ପନା ବିଳାସରେ ସୁସ୍ପଷ୍ଟ ରୂପରେଖ ପାଇଛି । ଜଡ଼ ନିର୍ଜୀବ ଉପାଦାନଗୁଡ଼ିକର ସମାବେଶରେ ସେ ଜୀବନ୍ତଭାବ ଓ ଜ୍ୱଳନ୍ତ ସୌଷ୍ଠବର ଅନିର୍ବଚନୀୟ ସ୍ପନ୍ଦନ ସୃଷ୍ଟି କରିପାରି ଦିନେ ମହାଭାରତୀୟ ଜୀବନର ତଥା ସମଗ୍ର ମାନବଜୀବନ ଧାରାରେ କିପରି ଯୁଗାନ୍ତର ଆଣିଥିଲା ତାହାର ସତ୍ୟତା ଓ ବିଶେଷତ୍ୱ ଦେଖାଇବା ଲାଗି ଲେଖକ ଏହିଭଳି ଗୋଟିଏ କିମ୍ବଦନ୍ତୀ ମୂଳକ କଥାବସ୍ତୁର ଅବଲମ୍ବନ କରି ଅଛନ୍ତି । ବିସ୍ତୃତ କବିଙ୍କର ଦୂରଦୃଷ୍ଟି ଏହି ଜାତୀୟ ଉତ୍କର୍ଷର ମୂଳ ତଥ୍ୟ ନିର୍ଦ୍ଧାରଣ ଲାଗି ସଂପ୍ରସାରିତ ହେବା ଫଳରେ କଳାମୟୀ କଳିଙ୍ଗର କଳା ନୈପୂଣ୍ୟର ପରାକାଷ୍ଠା ଓ ସେହି ଉଜ୍ଜ୍ୱଳ ଅତୀତର ଆଲେଖ୍ୟ ସୁଦୂର ପରାହତ ନ ହୋଇ ସନ୍ନିନିକଟବର୍ତ୍ତୀ ଓ ସହଜଲଭ୍ୟ ହୋଇ ଉଠିଛି ବୋଲି ମୋର ଦୃଢ଼ ବିଶ୍ୱାସ । ତେଣୁ ‘‘ଶିଳ୍ପୀ’’ କେବଳ କିମ୍ବଦନ୍ତୀ ପର୍ଯ୍ୟବସତି ହୋଇ ନପାରେ; ଏହା ବିଶାଳ ବହୁତୋମୁଖୀ ଜାତୀୟ-ଜୀବନରେ ଯଥାର୍ଥ ଉନ୍ମେଷକ ।

କବି ପ୍ରୌଢ଼, ତଥାପି ଯୌବନ ସୁଲଭ ପରିକଳ୍ପନା ବିଳାସରେ ଉଦ୍ଦାମ ତାରୁଣ୍ୟର ଯେପରି ପରିଚୟ ଦେଇଅଛନ୍ତି, ମୋର ମନେ ହୁଏ, ତାହାରି ବଳରେ ହିଁ ସେ ଉତ୍ତରୋତ୍ତର ସମଧିକ ଅଗ୍ରସର ହୋଇ ପାରିବେ । ଏହି ଉନ୍ନତ ଲକ୍ଷ ପଥରେ ତାଙ୍କର ଏତାଦୃଶ ଉଦ୍ୟମରେ ଜାତୀୟ ଆଶା ସାର୍ଥ ଓ ସଫଳ ହେଉ, ଏହାହିଁ ଅନ୍ତରର ଏକାନ୍ତ କାମନା ।

ଅଳମତି ବିସ୍ତରେଣ—

 

ଅଧ୍ୟାପକ ଶ୍ରୀ ଜୟକୃଷ୍ଣ ମିଶ୍ର

ତା ୧୦-୧୦-୫୬

ରେଭେନ୍‌ସା କଲେଜ, କଟକ

 

ଶିଳ୍ପୀ

–ପ୍ରଥମ ସର୍ଗ–

 

* ଷଣ୍ଢ ଚୂଳିଆର

ପାଦଦେଶ ଆଜି

ଚହଳ ଗହଳେ

ଉଠିଛି ପୂରି ।

ଫେରିଛନ୍ତି ରାଜା

ଧନଞ୍ଜୟ ଭଞ୍ଜ,

ବୀରଦର୍ପେ ମାତି

ପାରିଧି ସାରି ।

* ଷଣ୍ଢଚୂଳିଆ ଏକ ପର୍ବତର ନାମ । ଏହା ଆସିକା ସହରର ଐଶାନ୍ୟ କୋଣରେ ପ୍ରାୟ ଦଶ ମାଇଲ ଦୂରରେ ଥିବା ବାଲିପଦର ନାମକ ଗ୍ରାମର ପୂର୍ବ ଦିଗରେ ଅବସ୍ଥିତ । ଏହାର ଚତୁର୍ଦ୍ଦିଗ ଘନାରଣ୍ୟରେ ଆଚ୍ଛାଦିତ ଥିଲା । ବର୍ତ୍ତମାନ ବଣ ହାଣି କ୍ରମେ କ୍ରମେ ପଦା କରାଯାଉଛି । ଭଞ୍ଜବଂଶୀୟ ରାଜାମାନେ ଏହି ହିଂସ୍ର ଜନ୍ତୁ ସଂକୁଳ ବନରେ ପାରିଧି କରୁଥିଲେ । ଉକ୍ତ ପର୍ବତର ପାଦ ଦେଶରେ ପାରିଧି ଭବନ ନାମରେ ଏକ ପକ୍‌କା ଗୃହ ନିର୍ମାଣ କରାଇ ତହିଁରେ ଆଶ୍ରୟ ଗ୍ରହଣ ପୂର୍ବକ ଶୀକାରରେ ମାତୁଥିଲେ । ଭକ୍ତ ସ୍ଥାନରେ ଅଦ୍ୟାବିଧି ଗୋଟିଏ କ୍ଷୁଦ୍ର ପୁଷ୍କରିଣୀ ଓ ଶିବ ମନ୍ଦିର ଦେଖିବାକୁ ମିଳେ । ତାର ନିକଟରେ ଏକ ସାଧାରଣ ସ୍ତୁପ ଦେଖାଯାଏ । ବୋଧହୁଏ, ତାହା ପାରିଧି ଭବନର ଧ୍ୱଂଶାବଶେଷ । ଲେଖକ ପ୍ରାୟ ୩୦ ବର୍ଷ ପୂର୍ବେ ଏହି ସ୍ଥାନକୁ ଯାଇ ନିଜେ ଦେଖି ଆସିଥିଲେ ।

ଏକା ଚୋଟକରେ

ପେଷିଦେଲେ ରାଜା

କୃତାନ୍ତ ମନ୍ଦିରେ

ଶାଳ ବଣୁଆଁ ।

ବହି ଆଣିଛନ୍ତି

ପାଇକ ରାଉତ,

ମହାବଳ ବାଘ

ବଡ଼ ଟାଣୁଆ । ୨ ।

ବୀରଶୂର ମିଳି

ଗାଇଲେ ବନ୍ଦନା,

ପରଶଂସି ରାଜା

ବାହୁର ବଳ ।

ଫୁଲିଗଲା ଛାତି

ଧନଞ୍ଜୟ ଅତି,

ଆନନ୍ଦେ ବାଣ୍ଟିଲେ

ଧନ ବହୁଳ । ୩ ।

 

* ବିଷ୍ଣୁ ଚକ୍ର ଗଡ଼େ

ଫେରିଲେ ରାଜନ

ପାଇକ ରାଉତ

ସଙ୍ଗତେ ନେଇ ।

ବାଲିପଦରର

ବନ୍ଧହୁଡ଼ା ଦେଇ

ଭାଟ ନେଇଗଲା

ବାଟ କଢ଼େଇ । ୪ ।

ଦଇବ ନିଯୋଗେ

ସେହି ଦିବା ଭାଗେ

ବଢ଼େଇ ଦୁହିତା

ଷୋଳ ବୟସୀ ।

ଚମ୍ପକ-ବରନା

ସୁନ୍ଦରୀ-ମଣ୍ଡନା

ଫେରୁଥିଲା ଗୃହେ

କାଖେ କଳସୀ । ୫ ।

 

* ପୂର୍ବେ ଉଲ୍ଲେଖ କରାଯାଇଥିବା ବାଲିପଦର ଗ୍ରାମର ପ୍ରାୟ ବାୟୁକୋଣରେ ବିଷ୍ଣୁଚକ୍ର ଗ୍ରାମ ଅବସ୍ଥିତ । ଏହି ଗ୍ରାମର ପଶ୍ଚିମ ଦିଗରେ ଭଞ୍ଜ ରାଜାମାନେ ଏକ ସୁଦୃଢ଼ ଦୁର୍ଗ ନିର୍ମାଣ କରିଥିଲେ । ରାଜାମାନେ ସମୟ ସମୟରେ ଏହି ଦୁର୍ଗରେ ଅବସ୍ଥାନ କରି ପ୍ରଜାମାନଙ୍କ ହାରିଗୁହାରୀ ବୁଝୁଥିଲେ ଓ ନିକଟସ୍ଥ ବନରେ ଶୀକାର କରୁଥିଲେ । ଇଂରେଜମାନେ ଘୁମୁସର ଅଧିକାର କରିବାବେଳେ ଏହି ଦୁର୍ଗ ଅଧିକାର କରିବାକୁ ପ୍ରାୟ ଦୁଇ ସପ୍ତାହ ସମୟ ଲାଗିଥିଲା ବୋଲି ଜନଶ୍ରୁତିରୁ ଜଣାଯାଏ । ବର୍ତ୍ତମାନ ଦୁର୍ଗର ଚିହ୍ନ ମଧ୍ୟ ଦିଶୁ ନାହିଁ । ଦୁର୍ଗର ଚତୁର୍ଦ୍ଦିଗରେ ରହିଥିବା ପରିଖାଟି ମଧ୍ୟ କ୍ଷେତରେ ପରିଣତ ହୋଇଗଲାଣି । ଲେଖକ ଏହା ନିଜେ ଦେଖି ଆସିଥିଲେ ।

 

ପଡ଼ିଗଲା ରାଜ-

ଦୃଷ୍ଟି ତା’ ଉପରେ

ଚକିତେ ବଙ୍କେଇ

ଚାହିଁଲେ ନୃପ ।

ଅଥୟ ହୋଇଲା

ମାନସ ତାଙ୍କର,

କାମାନଳେ ପୋଡ଼ି-

ଗଲା ବିବେକ । ୬ ।

ମାନସ-ଚୁମ୍ବକ

କନ୍ଦର୍ପ ଚାଳକ,

ବିବେକ ନାଶକ

ଯୁବତୀ-ଶୋଭା ।

ଦାମ୍ଭିକ ପ୍ରବର

ହୋଇଲେ ହେଁ ନର

ଘାରି ଦିଏ କରି

ମନକୁ ଲୋଭା । ୭ ।

ବିଶ୍ୱାମିତ୍ର ପରି

ରାଜର୍ଷି-ପୁଙ୍ଗବ

ଦୁଷ୍ମନ୍ତ ସମାନ

ବିବେକୀ ରାଜା ।

ତପସ୍ୟା ହରାଇ

ବିବେକ ହଜାଇ

କରିଥିଲେ ନାରୀ-

ଚରଣ ପୂଜା । ୮ ।

କାମ ଉପାସକ

ଧନଞ୍ଜୟ ଭୂପ

ବିବେକ ହାରିବା

ନୁହେ ରିଚିତ୍ର !

ନାରୀ ଭୋଗପାଇଁ

ନିରତେ ଯେ ବାଇ

ଚଲି ନ ପାରିଲେ

ଅଗ୍ରେ କିଞ୍ଚିତ । ୯ ।

ପଚାରିଲେ ରାଜା

ପରିଜନେ ଚାହିଁ

କିଏ ସେ ଏ ବାଳା

କାହାର କନ୍ୟା ?

କୁଳଶୀଳ ତାର

ଅଛି କି ଗୋଚର

କୋ ପିତା ମାତାରେ

କରିଛି ଧନ୍ୟା ? । ୧୦ ।

ବିନୟେ ଭାଷିଲା

ଗ୍ରାମ କଟୁଆଳ

* ବିନ୍ଧାଣୀ ରତନ

ହରିର ଝିଅ ।

ସୁନ୍ଦରୀ ପଣରେ

ସମାନ କେ ଅଛି

ଶତ୍ରୁ ହେଲେ ମଧ୍ୟ

 

* ବାଲିପଦରର ଜଣେ ବଢ଼େଇବଂଶର ଶିଳ୍ପୀ କାଠରେ ଦୁଇଟି କୁକୁଡ଼ା ଡିମ୍ବ ତୟାର କରି ନୈଷ୍ଠିକ ରାଜା ଶ୍ରୀଙ୍କର ଭଞ୍ଜ ଅଫିସରେ ବସି ଲେଖୁଥିବାବେଳେ ପଛଆଡ଼ୁ ଯାଇ ମେଜ ଉପରେ ଥୋଇ ଦେଲେ । ରାଜା ତାହା ଦେଖି ସାକ୍ଷାତ୍‌ କୁକୁଡ଼ା ଡିମ୍ବ ବୋଲି ମନେକରି ପଛକୁ ଘୁଞ୍ଚିପଡ଼ି କିଏ ଥୋଇଲା ବୋଲି କ୍ରୋଧରେ ଦଣ୍ଡ ଦେବାକୁ ଯାଉଥିଲେ । ଏତିକିବେଳେ ବିନ୍ଧାଣୀ ବିନୟ ପୂର୍ବକ କହିଲା ନାହିଁ ମହାରାଜ ! ଏହା ପ୍ରକୃତ ଡିମ୍ବ ନୁହେଁ । କାଠରେ ତୟାର ଡିମ୍ବ । ଏଥିରେ ରାଜା ବିସ୍ମୟ ପ୍ରକାଶ କରିଥିଲେ ଓ ସନ୍ତୋଷରେ ସେ ବୃଦ୍ଧ ଶିଳ୍ପୀକି ‘ବିନ୍ଧାଣୀରତ୍ନ’ ପଦ ଦେଇଥିଲେ । ସେହି ପଦ କେତେକାଳ ପର୍ଯ୍ୟନ୍ତ ଉକ୍ତ ବଢ଼େଇବଂଶର ଜଣେ ବଢ଼େଇଠାରୁ ଶୁଣିବାକୁ ପାଇଥିଲି ।

 

ହୋଇବେ ମୋହ । ୧୧ ।

ଏହା ଶୁଣି ରାଜା

ବିଚାରିଲେ ମନେ

କି ମନୋହାରିଣୀ !

ସତେ ଏ ବାଳା !

ପଡ଼ିଗଲା ବେଳୁ

ମୋ ନୟନ ପଥେ

ମନ-ପ୍ରାଣ ମୋର

ସନ୍ତୁଳି ଦେଲା । ୧୨ ।

ଲାବଣ୍ୟ ନିଧାନ

ଅଟେ ଅପଘନ

ମନ ମୋହକର

ମୁଖ ଗଠନ ।

କି ଦେଇ ବିଧାତା

ନିର୍ମାଣିଛି ତାରେ

ଭାବିଲେ ଚକିତେ

ବୁଡ଼ଇ ମନ । ୧୩ ।

ଆଡ଼ମ୍ବର ସୀମା

ଲଙ୍ଘି ନାହିଁ ରାମା

କୃତ୍ରିମା ସୌନ୍ଦର୍ଯ୍ୟ

ନ ଜାଣେ ଲେଶ ।

ତଥାପି ଦେଖୁଛି

ମନ ଆକର୍ଷଣେ

ରହିଛି ତାଠାରେ

ଶକ୍ତି ବିଶେଷ । ୧୪ ।

ପରହିତ ଶାଢ଼ୀ

ଅତି ସାଧାରଣ

ଗ୍ରାମ୍ୟ ଆଭରଣେ

ମଣ୍ଡିଛି ତନୁ ।

ତଥାପି ଦର୍ଶକ

ଚିତ୍ତ ହରିନିଏ

ଦେଖିଦେଲେ ବାରେ

ନ ଯିବ ମନୁ । ୧୫ ।

ନିସର୍ଗସୁନ୍ଦରୀ

ବୋଲି ଯେ କଥାଏ

ଲେଖା ଯାଇଥାଏ

କାବ୍ୟ ଶାସ୍ତ୍ରରେ ।

ଜୀବନରେ ଆଜି

ହେଲା ତା ପ୍ରତ୍ୟକ୍ଷ୍ୟ

ନେତ୍ର ସାର୍ଥ ହେଲା

ଏତେ ଦିନରେ । ୧୬ ।

ଜାତି-କୁଳ ତାର

କଲେ ମୁଁ ବିଚାର

ପଲ୍ଲ୍ୱକେ ପଙ୍କଜ

ଜନମ କଥା ।

ପଡ଼ିଯାଏ ମନେ

ସେ ରୂପ ଦର୍ଶନେ

ଋଷି ମନ ହେଲେ

ପାଇବ ବ୍ୟଥା । ୧୭ ।

ନୀଚକୁଳୁଁ କନ୍ୟା

ଗ୍ରହଣକୁ ମନା

କ୍ଷତ୍ରୀୟର ପକ୍ଷେ

ଅଟେ ଦୂଷଣ ।

ଯଦି କହେ କେହି

ନ ଜାଣଇ ସେହି

ହିନ୍ଦୁ ସମାଜର

ନୀତି ନିୟମ । ୧୮ ।

ନୀତିଶାସ୍ତ୍ରେ ଅଛି

କନ୍ୟା ରତ୍ନ ବାଛି

ନୀଚକୁଳୁଁ ନେବା

ନୁହେ ଦୂଷିତ ।

କାହିଁ ତେବେ ଦୋଷ

ଗ୍ରହଣେ ? ଅଶେଷ

ଭାଗ୍ୟ ଭୋଗ ମୋର

ହେବ ନିଶ୍ଚିତ । ୧୯ ।

ଯୁବତୀ କଟାକ୍ଷ୍ୟ-

ପାତ ଅନାୟତ୍ତ

କରି ଘାରିଲାଣି

ଅନ୍ତର ମମ,

ଘେନି ଯିବିତ୍ୱରା

ନବରେ ଏ ବାଳା

ରାଣୀ ଭୋଗେ ତାର

କଟିବ ଦିନ । ୨୦ ।

ହେଉ ଯେଡ଼େ ଜ୍ଞାନୀ

ଚରିତ୍ରାଭିମାନୀ

ସୁନ୍ଦରୀ ଯୁବତୀ

ମୋହ ଜାଲରେ ।

ନପଡ଼ି ଫିଟିଛି

କହ କିଏ ଅଛି ?

ଆଜିଯାଏଁ ଶୁଣା

ନାହିଁ ବିଶ୍ୱରେ । ୨୧ ।

ଚୁମ୍ବକ ଶକତି

କରି ଧାତା ସୃଷ୍ଟି

ବରିଲାକି ଅର୍ଦ୍ଧେ

ରମଣୀ ଗାତ୍ରେ ।

ନୋହିଲେ କାହିଁକି

ମୋହିତ ହୁଅନ୍ତି

ରମଣୀକି ନରେ

ଦେଖିବା ମାତ୍ରେ । ୨୨ ।

ରାଜା ଧନଞ୍ଜୟ

କାମୀ ଅତିଶୟ

ଲୋକେ କହିଥାନ୍ତି

ମୋ ପରୋକ୍ଷ୍ୟରେ ।

ଦେଖୁଛନ୍ତି କି ସେ

କି ନୀତି ରହିଛି

ବିଧାତା ସୃଷ୍ଟିରେ

ମୁହିଁ ପଚାରେ । ୨୩ ।

ମଧୁକର ମନ

ମୋହିବା କାରଣ

ଫୁଟାଏ ନାହିଁକି

ବିଧାତା ଫୁଲ ।

ମଧୁ ପାନ ପାଇଁ

ଅଳି ହେଲେ ବାଇ

ବାରଣ କରିବା

ନୁହେ କି ଭୁଲ ? । ୨୪ ।

କମଳସମ୍ଭବ

କୋଟୀ ଜୀବ

ସରସତା ପ୍ରାଣେ

ଆଣିବା ପାଇଁ ।

ଗଢ଼ି ନଥିଲେ ସେ

ନାରୀଜାତି ଭବେ

ଜୀବନ ଅଲଣା

ଥାଆନ୍ତା ରହି । ୨୫ ।

ମାନବ ଜୀବନ

ହୋଇ ରସହୀନ

ସଢ଼ୁଥାନ୍ତା ବିଶ୍ୱେ

ନ ଥିଲେ ନାରୀ ।

ଯେତେ ଦୁଃଖ କଷ୍ଟ

ଘଟୁବା ଅନିଷ୍ଟ

ନାରୀ ଦେଖି ନର

ଯାଏ ପାଶୋରି । ୨୬ ।

ନାରୀ ସଦା ଆଣେ

ଜୀବନେ ପ୍ରେରଣା

ନାରୀ ସିନା ରଚେ

ସୁନାସଂସାର ।

ନାରୀ କରେ ଧରା

ସରଗ ପସରା

ନାରୀ ବିନା ଗୃହ

ଦିଶେ ଅନ୍ଧାର । ୨୭ ।

ଜୀବନରେ ଲୋଭ

ଆଣେ ସଦାନାରୀ

ସରସତା ଢାଳି

ଦିଏ ପ୍ରାଣରେ ।

ନାରୀ ତୁଷ୍ଟି ପାଇଁ

ଆଶାର ସଉଧ

ନଗଢ଼େ କି ଯୁବା

କେତେ ରଙ୍ଗରେ ! । ୨୮ ।

ବିଶ୍ୱ ଇତିହାସ

ଖୋଜିଲେ ପାଇବ

ଶତଶତ ଯୁବା

ଯୁବତୀ ପାଇଁ ।

ଅନାବିଳ ଚିତ୍ତେ

ଢାଳିଛନ୍ତି ପ୍ରାଣ

ଏ କଥା ସଂସାରେ

କେ ନ ଜାଣଇ ? । ୨୯ ।

ଦରଦୀ ଜଗତେ

ରମଣୀ ସର୍ଜ୍ଜନା

ଜୀବନ-ମୟୂରେ

ସିନା ଉଦ୍ୟାନ ।

ରମଣୀ ବିହୀନେ

ଏ ସାରା ସଂସାର

‘ମାହାମରୂ’ ବୋଲି

ଲଭନ୍ତା ନାମ । ୩୦ ।

ଅନନ୍ତ ସୃଷ୍ଟିର

ସାର ବସ୍ତୁ କିସ ?

ଏହି ପ୍ରଶ୍ନ ଯଦି

ମୋରେ ହୁଅନ୍ତା ।

ଏକ ମାତ୍ର ନାରୀ

ବୋଲି ତା’ ଉତ୍ତର

ଅନାୟାସେ ମୁଖୁଁ

ଗଳି ପଡ଼ନ୍ତା । ୩୧ ।

କେତେ ଏହି ପରି

ପ୍ରଳାପକୁ କରି

ରସିକ ରାଜନ

କରିଲେ ସ୍ଥିର ।

ଆଣିବେ ନବରେ

ଶିଳ୍ପୀ ଦୁହିତାରେ

ବୁଝା ସୁଝା କରି

ପିତାକୁ ତାର । ୩୨ ।

 

-ଦ୍ୱିତୀୟ ସର୍ଗ-

 

ରାଜା ଫେରିଯିବା

ପରେ ପଡ଼ିଗଲା

ଗାଁଆ ଗୋଟାଯାକ

ଭାରୀ ଚହଳ ।

ନାନାକଥା ଲୋକ

ମୁଖେ ବିଳସିଲା

ଯାହାକୁ ଯେ କଥା

ଲାଗିଲା ଭଲ । ୧ ।

କେ ଜଣେ କହିଲା

କେଡ଼େ କଥା ହେଲା !

ରାଜାଙ୍କ ଦୃଷ୍ଟିରେ

ପଡ଼ିଲା ପିଲା (ବାଳା) ?

ଆଉ କି କେବେ ସେ

ଉଧେଇ ପାରିବ ?

ସୁନ୍ଦରୀ ପଣିଆଁ

ଆଜିଠୁଁ ଗଲା । ୨ ।

ଅନ୍ୟଜଣେ ତହୁଁ

କହିଲା ସଧୀରେ

ରାଜା ଯଦି କନ୍ୟା

ନେବାକୁ ଚାହେଁ ।

ସରିଯିବ କଥା

ବଢ଼େଇ ଭାଇର

ବିବାହିତା ଝିଅ

କିପରି ଦିଏ । ୩ ।

ତୃତୀୟ କହିଲା

ଜାଣିଲୁକି ଭାଇ !

ତୋର ଅନୁମାନ

ନୁହଇ ମିଛ ।

ରାଜାଏ ରଖନ୍ତି

ଏକାଧିକ ରାଣୀ

ରାଜାପକ୍ଷେ ଏହି

କଥା ଉଚିତ । ୪ ।

ଆଉ ଜଣେ ତହୁଁ

କହିଲା ଶୁଣୁଛୁ !

ଝିଅ ଯଦି ତାର

ହୋଇବ ରାଣୀ ।

ରାଣୀ ଭୋଗ କରି

ଯାପିବ ଜୀବନ

କରମ-ବନ୍ତରେ

ତାହାକୁ ଗଣି । ୫ ।

ଏହିପରି ନାନା

କଥା ଶୁଣି ହରି

ଚିନ୍ତିତ ମାନସେ

ଫେରିଲା ଘରେ ।

ଏତିକି ବେଳରେ

ରାଜାଙ୍କର ଦୂତ

ଆସି ମିଳିଗଲା

ତାର ପାଶରେ । ୬ ।

କହିଲା ହେ ହରି !

ଛାମୁରୁ ଆଦେଶ

କାଲି ପ୍ରଭାତରୁ

ଯିବୁ ଗଡ଼କୁ ।

କହିଛନ୍ତି ରାଜା

ତୁରନ୍ତ ଯିବାକୁ

ତୋ ସହିତ କିଛି

କଥାହେବାକୁ । ୭ ।

ଦୂତର ବଚନ

କୁଳିଶ ସମାନ

ଆସି ପଡ଼ିଗଲା

ହରି ମସ୍ତକେ ।

ଭାବୁଥିଲା ଯାହା

ଘଟିଗଲା ତାହା

ବୁଡ଼ିଗଲା ମନ

ବିଷାଦ ପଙ୍କେ । ୮ ।

କିଛିକ୍ଷଣ ଭାବି

କହିଲା ସଂବୋଧି

ଯାଅବାବୁ ନିଶ୍ଚେ

ଯିବି ମୁଁ କାଲି ।

ଘର କରି ରାଜ୍ୟେ

ରାଜା ଆଦେଶକୁ

ନ ମାନିବ ଚାରା

ଅଛି କାହାରି ? । ୯ ।

ଜଳେ କରି ବାସ

କୁମ୍ଭୀର ସହିତ

କଳହ କରଇ

ସିନା ଅଧମ ।

ନିଜ ସର୍ବନାଶ

ନିଜେ ଘଟାଇଣ

ଶେଷେ କହେ ଏମୋ

ମନ୍ଦ କରମ । ୧୦ ।

ଜାଣି ଜାଣି ମୁହିଁ

କରିବି କି ଏହି

ଆତ୍ମଘାତୀ ନୀତି

ଅନୁସରଣ ?

ଫେରି ଯାଅ ବାବୁ

କହିବ ଛାମୁରେ

ପ୍ରଭାତେ ଆସୁଛି

ଶିଳ୍ପୀ ରତନ । ୧୧ ।

ଏଥୁ ଅନ୍ତେ ହରି

ଭାର୍ଯ୍ୟାପୁତ୍ର ଧରି

ଭାଇ ସହ ମିଶି

କଲେ ବିଚାର

ପଡ଼ିଗଲା ଆମ

ଉପରେ ଚଡ଼କ

କି କରିବା ଏଥେ

ବିଚାର କର । ୧୨ ।

ନିଶ୍ଚୟ ଜାଣିଛି

ରାଜା ହକାରିଛି

ଧରିଯିବା ପାଇଁ

କନ୍ୟାକୁ ମୋର ।

ଆଦେଶକୁ ଯେବେ

ଏଡ଼ିଦେବି ତେବେ

ନ ରହିବ ଆଉ

ମଥା ମୋହର । ୧୩ ।

ଶୁଣିଛି ଅନେକ

ସାଧୁ ସନ୍ଥ ଲୋକ

ତେଜିଛନ୍ତି ରାଜ୍ୟ

ନ ସହି ଦାଉ ।

ଯେଉଁଦିନୁ ରାଜା

କୁହୁକୀ ସାଜିଲା

ନ ରହିଲା ରାଜ୍ୟେ

ସତୀତ୍ୱ ଆଉ । ୧୪ ।

ଏ ବଚନ ଶୁଣି

ପଡ଼ିଲା ଭାଳେଣି

ଛନକାରେ ସର୍ବେ

ଧଇଲେ ମୁଣ୍ଡ ।

କି ଉତ୍ତର ଦେବେ

ବୁଦ୍ଧି ନ ଦିଶିଲା

ବୁଝାଇବ କିଏ

ରାଜା ଦୁର୍ଦ୍ଦଣ୍ଡ । ୧୫ ।

କିଛିକ୍ଷଣ ରହି

ତହିଁ ସାନ ଭାଇ

କହିଲା ଭାଇ ହେ !

କଥାଟା ସତ ।

ମାଇପିଲା ଯଦି

ସୁନ୍ଦରୀ ହୋଇଲା

ନ ରହିବ ଆଉ

ତାର ମହତ । ୧୬ ।

ବିଷମ ସନ୍ଧିରେ

ପଡ଼ିଗଲେ ଆମ୍ଭେ

ଡରି ରାଜା ଯଦି

ଛାଡ଼ିବା ଝିଅ ।

କାଳ କାଳକୁତ

ରହିଯିବ କଥା

ସକଳ ଜନରେ

ହେବା ଅପ୍ରିୟ । ୧୭ ।

ନ ମାନି ଆଦେଶ

ହେଲେ ନିରୁତ୍ତର

କନ୍ୟା ସହିତରେ

ସବଂଶ ନାଶ ।

ଘଟିବ ନିଶ୍ଚୟ

ନାହିଁତ ସଂଦେହ

କିପରି ଏଡ଼ିବା

ରାଜାର ତ୍ରାସ ? । ୧୮ ।

ଯୁବାପୁଅ ତହୁଁ

କହିଲା କ୍ରୋଧରେ

ଅନ୍ୟାୟୀ ରାଜାରେ

କିଂପା ମାନିବା ?

ଚାଲ ଆମେ ସର୍ବେ

ଏ ରାଇଜ ଛାଡ଼ି

ଅନ୍ୟ ପାଖ ରାଜ୍ୟେ

ବାହାରି ଯିବା । ୧୯ ।

ନିଜ ପରାକ୍ରମ

ଦେଖାଏ କୁମ୍ଭୀର

ଥିବାଯାଏ ସିନା

ଜଳ ମଧ୍ୟରେ ।

ଜଳରୁ ବାହାର

ହେଲେ ସେ ଶତ୍ରୁକୁ

କିସ କରିପାରେ

ଭାବୁ ନ ଥରେ ? । ୨୦ ।

* ଶରଣ ପଞ୍ଜର

ଅଷ୍ଟ ଦୁର୍ଗେଶ୍ୱର

ସେଥେ ଆଶ୍ରାନେଲେ

କିସ କରିବ ?

ସେ ରାଇଜ ପାଦ

ପକାଇ ନ ପାରି

କ୍ରୋଧେ ସିନା ରାଜା

ଜଳି ମରିବ । ୨୧ ।

ମହାଦେବ ଗଳେ

ବିଷଧର ଥିଲେ

ଗରୁଡ଼ ଯେସନ

ନ ପାରେ ଛୁଇଁ ।

 

* କଳାପାହାଡ଼ ଶ୍ରୀ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ପଣ୍ଡାମାନେ ଶ୍ରୀଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ରାତି ରାତି ମହାପ୍ରଭୁଙ୍କୁ ନେଇ ଆଠଗଡ଼ ରାଜାଙ୍କୁ ସମର୍ପଣ କରି ତାଙ୍କର ନୀତିକାନ୍ତି ନିୟମିତ ଅନୁସାରେ କରାଇବାକୁ ଅନୁରୋଧ କରିଥିଲେ । ପ୍ରଭୁଭକ୍ତ ରାଜା ସଙ୍ଗେ ସଙ୍ଗେ ଏକ କ୍ଷୁଦ୍ର ଦେବାଳୟ ନିର୍ମାଣ କରାଇ ସେଥିରେ ମହାପ୍ରଭୁଙ୍କୁ ବସାଇ ଯଥାବିଧି ଭୋଗରାଗ କରାଇଥିଲେ । ଶୁଣାଯାଏ କଳାପାହାଡ଼ ଏହା ଅବଗତ ହୋଇ ଶ୍ରୀଜଗନ୍ନାଥଙ୍କୁ ଚୋରାଇ ନେବା ପାଇଁ, ରାଜାଙ୍କ ସହିତ ପ୍ରକାଶ୍ୟ ଗଣ୍ଡଗୋଳ ମଧ୍ୟ ଭିଆଇଥିଲା । ରାଜା ତାଙ୍କର ସକଳ ଶକ୍ତି ପ୍ରୟୋଗ କରି ମହାପ୍ରଭୁଙ୍କୁ ରକ୍ଷାକରି ପାରିଥିବାରୁ ପୁରୀରାଜା କୃତଜ୍ଞତା ଦେଖାଇ ଆଠଗଡ଼ ରାଜାଙ୍କୁ ‘ଶରଣ ରକ୍ଷଣ ମାନ ଉଦ୍ଧାରଣ’ ପଦ ପ୍ରଦାନ କରିଥିଲେ । ଉକ୍ତ ଦିନାବିଧି ଆଠଗଡ଼ ରାଜା ବିଜେ କରିବା ସମୟେ ଭାଟମାନେ ‘ଶରଣ ରକ୍ଷଣ ମାନ ଉଦ୍ଧାରଣ’ ଶ୍ରୀଶ୍ରୀ ଶ୍ରୀ ହରିଚନ୍ଦନ ଜଗଦେବଙ୍କ ଜୟ’ ବୋଲି ଗାନ କରୁଥିଲେ ।

 

ଆଠଗଡ଼ ରାଜା

ଆଶ୍ରୟେ ରହିଲେ

ଯାଇ ପାରିବକି

ରାଜା ସେ ଭୂଇଁ ? । ୨୨ ।

ହରିର ଘରଣୀ

ଶୁଣୁଥିଲା ଧୀରେ

ପାଶେ ଉଭା ହୋଇ

ପୁଅର କଥା ।

ଅସମ୍ଭାଳ ହୋଇ

କହିଲା ନିନ୍ଦେଇ

ଖରାପ-ହେଲାଣି

ରାଜାର ମଥା । ୨୩ ।

ଲଜ୍ଜା ନାହିଁ ତାରେ

ପର ନାରୀଠାରେ

ପକାଏ ନଜର

ବୋଲାଇ ରାଜା ।

ରାଇଜ ଯାକର

‘ବାପା’ ବୋଲି ପରା

ପୂଜା କରୁଥାନ୍ତି

ସକଳ ପ୍ରଜା । ୨୪ ।

ତା’ ଝିଅ ଉପରେ

ଆକ୍ଷି ପକାଇଲେ

ସମ୍ଭାଳି ଯିବକି

ପଚାର ଥରେ ?

ତେବେ କାହିଁପାଇଁ

ଏ ବୁଦ୍ଧି ଧରଇ

କଳଙ୍କ ବୋଳଇ

ରାଜ କୁଳରେ ? । ୨୫ ।

ପର ସ୍ତିରୀ ହରି

ନେବାରୁ କିପରି

ଲଙ୍କାଗଡ଼ ରାଜା

ସବଂଶେ ମଲା ।

ବଳାତ୍କାର କରି

ଭାଇବୋହୁ ହରି

କେତେଦିନ ବାଳୀ

ରାଜୁତି କଲା ! । ୨୬ ।

ଆମରି ପୁରାଣ

ଗାଉଛି ଏକଥା

ନାରୀ ହରଣ ଯେ

କରେ ଜୀବନେ ।

ଅକାଳ ମରଣ

କରେ ସେ ବରଣ

ରାଜା ହୋଇ

ଶୁଣି ନିକି ଶ୍ରବଣେ ? । ୨୭ ।

ଏହା ଭାଳି ମୁହିଁ

ବିଚାର କରଇ

ଭଞ୍ଜଗାଦୀ ଆଉ

ରହିବ ନାହିଁ ।

ପଥରକୁ ଫିଙ୍ଗି

ମୁଣ୍ଡକୁ ପାତିଲେ

ପୁରାଣରେ ଆଶା

ରହେକି କାହିଁ । ୨୮ ।

ମୁହଁ ମାରି ଝିଅ

ଖମ୍ବକୁ ଆଉଜି

ଶୁଣୁଥିଲା ବାପା

ମାଆ ବିଚାର ।

କାନ୍ଦ କାନ୍ଦ ହୋଇ

କହିଲା ପିତାରେ

ଶୁଣ ବାପା ମୋର

ହୃଦ ବିଚାର । ୨୯ ।

ଜୀବନରେ ଥରେ

ବିଭା ହୁଏ ସିନା

ଏ ସଂସାରେ ସତୀ

ଅଟେ ଯେ ନାରୀ

ଦୋଚାରିଣୀ ସିନା

ଥର ଥର କରି

ଚାଖୁ ଥାଏ ପତି

ସୁଆଦ ବାରି । ୩୦ ।

ଦ୍ୱିତୀୟ ବିବାହେ

ମତଦିଅ ଯଦି

ଛାଡ଼ିଦିଅ ଆଶା

ଝିଅ ଜୀବନେ ।

କୁଅଁ କି ପୋଖରୀ

ଦେଖିବ ଏ ଝିଅ

ରଖିବ ପରାଣ

କେଉଁ କାରଣେ । ୩୧ ।

ବୁଦ୍ଧିବନ୍ତ ନାରୀ

କନ୍ୟା ମନ ବାରି

ସୁଜ୍ଞାନୀ ବିନ୍ଧାଣୀ

କହିଲା ଶୁଣ ।

ଧରମ ଛାଡ଼ିବ

ରାଜ୍ୟ ନାଶ ଯିବ

ରାଜା ଯଦି ଧରେ

ବୁଦ୍ଧି ଦୁର୍ଗୁଣ । ୩୨ ।

ପ୍ରଜା ଅସନ୍ତୋଷ

ଯୁବତୀ ନିଶ୍ୱାସ

ରାଜଗାଦୀ ପ୍ରାଣେ

ଦିଏ ଗରଳ

କେତେ ବଡ଼ ବଡ଼

ରାଇଜ ଉଗଡ଼

ହୋଇଛି ସଂପତ୍ତି

ନାଶ ଆବର । ୩୩ ।

ବଂଶ ନାଶ ବେଳେ

କୁଳାଙ୍ଗାର ପୁତ୍ର

ଜନମଇ ଏହା

ଗୁରୁ ବଚନ ।

ସେହି କଥା ଏବେ

ଘଟିଲାଣି ଆସି

ହେବ ଭଞ୍ଜଗାଦୀ

ନିଶ୍ଚେ ପତନ । ୩୪ ।

ଯାହା ହେବ ହେଉ

ତମେ ଏବେ ଆଉ

ନ କରି ବିଳମ୍ବ

ଛାଡ଼ ଏ ରାଜ୍ୟ ।

ବିପଦୁ ଉଦ୍ଧାର

ଲଭିବା ନିମନ୍ତେ

କରିବି ଯତନ

ସୁମରି ଭାଗ୍ୟ । ୩୫ ।

କନ୍ୟା ବିନିମୟେ

କନ୍ୟାର ପ୍ରତିମା

କଉଶଳେ ଗଢ଼ି

ଭେଟିବି ରାଜା ।

ଭାଗ୍ୟ ଦେବୀ ଯଦି

ହୋଇବେ ପ୍ରସନ୍ନ

ବାଜିବ ଜଗତେ

କୀରତି ବାଜା । ୩୬ ।

ଯେ ଓଡ଼ିଆ ଶିଳ୍ପୀ

ଅରଜି ସୁଖ୍ୟାତି

ଗଢ଼ିଥିଲା ଦିନେ

ଅର୍କ ମନ୍ଦିର ।

ଯାହା ଦେଖି ଆଜି

ଜଗତ ଚକିତ

ସେ ଜାତିରେ ପରା

ଜନ୍ମ ମୋହର ? । ୩୭ ।

ଦେଖାଇବି ମୋର

ବିନ୍ଧାଣୀ ପଣିଆଁ

ବାପ ଦେହକରୁ

ଶିଖିଛି ଯାହା ।

ଗରାଖି ରାଜନ

ଚିହ୍ନିଲେ ମୋ କାମ

ସାତ ଖୁନି ମାଫ

କରିବ ତାହା । ୩୮ ।

ଏଥୁ ହେଲେ ଆନ

ଜୀବ ମୋ ଜୀବନ

ସଂନ୍ଦେହ ଏଥିରେ

ନାହିଁ ତ ଲେଶ ।

ଭୟ ନାହିଁ ମୋର

ଛାର ମରଣର

ମରି ଅରଜିବି

ଯଶ ଅଶେଷ । ୩୯ ।

ପାଲଟା ବସନ

ପରି ଏ ଜୀବନ

ପିନ୍ଧେ ମୃତ୍ୟୁ ଲୁଗା

(ଏହି ଜଗତେ) ଥରକୁ ଥର ।

ନିତି ମରି ନିତି

ଜନମିଲେ ହେଲେ

ଶୋଚନା କିମ୍ପାଇଁ

ହେବ ମୋହର ? । ୪୦ ।

ସୁନାମ ଅରଜି

ଦିନେ ବଞ୍ଚିଲେ ହେଁ

ଯୁଗ ଯୁଗ ଧରି

ରହଇ ନାମ ।

ସୁକର୍ମ ବିହୀନେ

ଦୀର୍ଘାୟୁ ଜନର

ମୃତ୍ୟୁ ସଙ୍ଗେ ଲିଭି

ଯାଏ ତା ନାମ । ୪୧ ।

ବଳୀ, ବ୍ୟାସ, ଆଦି

ମୁନି ଋଷି ରାଜି

ଅମର ହୋଇଣ

ଛନ୍ତି ସଂସାରେ

ସଂପାଦି ଥିବାରୁ

ସୁକରମ ସିନା

ଜପାମାଳୀ ହୋଇ

ଛନ୍ତି ଲୋକରେ । ୪୨ ।

ଅସ୍ଥିର ଜୀବନ

ଶେଷେ ମନୁଷ୍ୟର

କିଛି ନ ରହଇ

ଚିହ୍ନ ଭୂତଳେ ।

ରହଇ କେବଳ

ସୁକରମ ଯେତେ

ଅରଜି ଥାଏ ସେ

କରମ ବଳେ । ୪୩ ।

ଅଚଳ ସାଗର

ଚନ୍ଦ୍ର ଦିବାକର

ସର୍ବେ ହୋଇଯିବେ

ଦିନେ ବିନାଶ ।

ଏଥକୁ କିମ୍ପାଇ

ମରଣେ ଶୋଚନା

ହସି ହସି ଗଳେ

ଦେବି ମୁଁ ଫାସ । ୪୪ ।

ଏହିପରି ନାନା

ବିଷୟ ବୁଝାଇ

କୁଟୁମ୍ବ ଜନରେ

ଦେଇ ବିଶ୍ୱାସ ।

କହିଲା ସକଳେ

ଛାଡ଼ ମନୁ ଚିନ୍ତା

ଭଗବାନ ପ୍ରତି

ରଖ ବିଶ୍ୱାସ । ୪୫ ।

ଉତ୍ତରିଲା ଭାଇ

ଭଲ କହିଲ ହେ,

ମାନି ଗଲା ମନ

ତମ କଥାରେ ।

ଅଡ଼ୁଆ ଲାଗଇ

କଥା ଏକ ମତେ

କି ଉତ୍ତର ଦେବା

କହ ବିଚାରେ । ୪୬ ।

ସଜୀବ ପ୍ରତିମା

ଗଢ଼ିବାକୁ କିନା

ସମୟ ଲାଗିବ

ନିଶ୍ଚେ ବହୁତ ।

ଆଜି ଏକା ଝିଅ

ଆଣି ଛାଡ଼ିଦିଅ

କହିଲେ ଉତ୍ତର

କିସ ଦେଉ ତ । ୪୭ ।

ଭାବି କିଛି କ୍ଷଣ

ବିନ୍ଧାଣୀ ରତନ

କହିଲା ମତେ ତା

ଉପାୟ ଜଣା ।

ଯଥା କାଳେ ତାହା

କରିବି ପ୍ରକାଶ

ଏଥକୁ ନ କର

ମନେ ଭାବନା । ୪୮ ।

ମନ ହେଲା ସ୍ଥିର

ବିନ୍ଧାଣୀ ଭାଇର

ପ୍ରଶଂସିଲା ମନେ

ଭାଇ ସାହସ ।

କହିଲା ତୁରିତ

ହୁଅ ହେ ପ୍ରସ୍ତୁତ

ଭେଟିବ ରାଜାରେ

ମାନି ଆଦେଶ । ୪୯ ।

ଅଥୟ କୁଟୁମ୍ବ—

ମନ ହେଲା ଥୟ

ବରଜିଲା ଯେବେ

ପାର୍ଥିବ ଆଶା ।

ଏକାନ୍ତ ଚିତ୍ତରେ

ଆତ୍ମ ସମର୍ପଣ

କରି କଲା ଯେବେ

ପ୍ରଭୁ ଭରସା । ୫୦ ।

 

-ତୃତୀୟ ସର୍ଗ-

 

ଫଟକିଲା କ୍ରମେ

ପୂର୍ବ ନୀଳାକାଶ

ବାଳ ରବି ରଶ୍ମୀ

ଆଭାସ ପାଇ ।

ଆବିଳ ଜଳରେ

ନିର୍ମଳା ବାଜିଲେ

ସ୍ୱଚ୍ଛ ଗୁଣ ଯଥା

ପ୍ରକାଶ ପାଇ । ୧ ।

ତାରକା ନିଚୟ

ହୋଇଲେ ନିଷ୍ପ୍ରଭ

ହରାଇ କ୍ରମଶଃ

କିରଣ ଜାଳ ।

ଜ୍ଞାନୀ ଆଗମନେ

ହୁଅଇ ଯେସନ

ଦରଜ୍ଞାନୀଙ୍କର

ଜ୍ଞାନର କାଳ । ୨ ।

ଉଷା ଆଗମନ

କରି ବିଲୋକନ

ବିହଙ୍ଗମ ଗଣ

ରହି ନୀଡ଼ରେ

ଉଷାରାଣୀଙ୍କର

ବନ୍ଦନା ରଟିଲେ

ନବ ଉତ୍ସାହରେ

ମାତି ତୋଷରେ । ୩ ।

ଚକ୍ରାୟୁଧେ କାହିଁ

ହରଷିତ ହୋଇ

ଦୀର୍ଘପ୍ଲୁତ ସ୍ୱରେ

ତେଜିଲେ ରାବ ।

ରାବ ନୁହେ ତାହା

ସତର୍କ ସୂଚନା

ଆଣିବାକୁ ବିଶ୍ୱେ

ଚେତନା ଭାବ । ୪ ।

ବାଜନ୍ତେ ସେ ରଡ଼ି

କର୍ଣ୍ଣ କୁହରରେ

କର୍ମଠ-ମାନବେ

ତେଜିଲେ ଶଯ୍ୟା ।

ପ୍ରଭାତ ନିଦ୍ରାର

ଅମଳ ସେବନେ

ଅଳସ ଜୀବନ

ଭୋଗିଲା ଲଜ୍ଜା । ୫ ।

ଏକାଳେ ଶୋଭିଲା

ପରାଚୀ ଗଗନ

ଧରି ଲାଲବର୍ଣ୍ଣ

ଦିନମଣିକି ।

କବି ବିକଳ୍ପିଲେ

ପ୍ରାଚୀରାଣୀ ଭାଲେ

ସରାଗେ ସିନ୍ଦୁର

ବିନ୍ଦୁ ନେଲେ କି ? । ୬ ।

ନୀରବ ଜଗତ

ହେଲୁ ମୁଖରିତ

ବିନ୍ଧାଣୀ ରତନ

ଶଯ୍ୟା ଉପେକ୍ଷି ।

ନିତ୍ୟକର୍ମ ସାରି

ହୋଇଲା ବାହାର

ଇଷ୍ଟଦେବ ନାମ

ମାନସେ ଲେଖି । ୭ ।

ବାମଦିଗେ ତାର

ଦେଖିଲା ନାରୀଏ

ଜଳକୁମ୍ଭ ଧରି

ଫେରୁଛି ଘରେ ।

ଦକ୍ଷେ ଧେନୁଗଣ

ଚରୁଛନ୍ତି ତୃଣ

ଦେଖିଣ ସଂଶୟ

ମଲା ମନରେ । ୮ ।

ବିଶ୍ୱସ୍ରଷ୍ଟାଙ୍କର

ଦୟା କି ଅପାର !

ଜଣାଇ ଦିଅନ୍ତି

ଦେଇ ସୂଚନା

ଶୁଭ ବା ଅଶୁଭ

ଆଗତ ଘଟନା

ଅନୁଭବୀ ପକ୍ଷେ

ପଡ଼ଇ ଜଣା । ୯ ।

ରାଜଭୟ ଯେତେ

ଉଇଁଥିଲା ଚିତ୍ତେ

ଶକୁନ ଦର୍ଶନେ

ହେଲା ଅନ୍ତର ।

ଆଲୋଡ଼ିତ ମନ

ସୁଧାରି ବହନ

ମିଳିଗଲା ଯାଇ

ରାଜ ନବର । ୧୦ ।

ବେନିକର ଯୋଡ଼ି

ସାଷ୍ଟାଙ୍ଗରେ ପଡ଼ି

ଉଭାହେଲା ହରି

ରାଜା ଅଗ୍ରତେ ।

ଚାହିଁଦେଇ ତାରେ

ଭଞ୍ଜ ନରପତି

ବସ ବୋଲି ଆଦେ-

ଶିଲେ ଇଙ୍ଗିତେ । ୧୧ ।

ବିନ୍ଧାଣୀ ରତନ

ବସିବା ଦେଖିଣ

କୁଶଳ ପୁଚ୍ଛିଲେ

ସ୍ତ୍ରୈଣ ଶେଖର ।

କହିଲା ବିନ୍ଧାଣୀ

ଛାମୁଙ୍କ ଶାସନେ

ବିଷାଦ କି ରହେ

ପରଜାଙ୍କର ? । ୧୨ ।

କିଏ ନ ଜାଣଇ

ଘୁମୁସର ରାଜ୍ୟେ

ପ୍ରଭାରଞ୍ଜନରେ

ଛାମୁଙ୍କ ପ୍ରୀତି ।

ଅବଳାଜନରେ

ବିଶେଷ ଭାବରେ

ଶ୍ରୀଛାମୁ ଜୀବନେ

ହୋଇଛି ନୀତି ! । ୧୩ ।

କି କାରଣେ ଛାମୁ

ହକାରିଲେ ମତେ

ଜାଣି ପାରିବ କି

ଅଧମ ପ୍ରଜା ।

ପାରିଧି ବାହୁଡ଼ା-

ବିଜେ ବନ୍ଧହୁଡ଼ା

ଘଟଣା ବର୍ଣ୍ଣିଲେ

ସରସେ ରାଜା । ୧୪ ।

ଦୁହିତା ତମର

ରାଜ କଳାଧରି

ଜନମ ଲଭିଛି

ଆସି ଧରାରେ

ଛାଡ଼ିଦିଅ ଆଣି

ନ କରି ଭାଳେଣି

ରାଣୀ ଭୋଗ ତାର

ଲେଖା କପାଳେ । ୧୫ ।

ଗାନ୍ଧର୍ବ ବିଧାନେ

ଚଳିବ ବିବାହ

କ୍ଷତ୍ରୀୟର ପକ୍ଷେ

ନୁହେଁ ଦୂଷଣ ।

ଦିଅ ସିଉକାର

ବିନ୍ଧାଣୀ ପ୍ରବର

ଭାଗ୍ୟଘର ଚାବି

କର ଗ୍ରହଣ । ୧୬ ।

ରାଜଦତ୍ତ ଅନ୍ନ

ଭୁଞ୍ଜୁଛ ପୂର୍ବରୁ

‘ବିନ୍ଧାଣୀ ରତନ’

ନାମ ଅରଜି ।

ସେ ସମ୍ବନ୍ଧ ଏବେ

ହେବ ଦୃଢ଼ତର

ଶୋଣିତ ସମ୍ବନ୍ଧ

ରହିବ ଯଦି । ୧୭ ।

ଏହିପରି କହି

କାମୁକ ନୃପତି

ଉତ୍କଣ୍ଠିତ ମନେ

ରହିଲେ ଚାହିଁ ।

ବିନ୍ଧାଣୀ ରତନ

ବିନୟେ ବଚନ

କହିଲା ଶୁଣନ୍ତୁ

ରାଜଇ ସାଇଁ । ୧୮ ।

ଛାମୁଙ୍କର ମନ

ଯଦି ଅକିଞ୍ଚନ

କୁଳ ଯୁବତୀର

ଧରିବେ କର ।

ନାସ୍ତି କେ କରିବ

ଅଧମ ନୋହିଲେ

(କିନ୍ତୁ) ଶ୍ରବଣ କରନ୍ତୁ

କଥାଏ ମୋର । ୧୯ ।

ବାଳକାଳୁ କନ୍ୟା–

ବିବାହ ସରିଛି

ବନ୍ଦାପନା କର୍ମ

ଥିଲା ନିକଟ ।

ଏ ପରିସ୍ଥିତିରେ

କନ୍ୟା ଛାଡ଼ି ଦେଲେ

ଛାମୁଙ୍କର ନିନ୍ଦା

ହେବ ପ୍ରକଟ । ୨୦ ।

ମାସକ ମଧ୍ୟରେ

ପୂର୍ବ ବିବାହରେ

ପ୍ରତିକାର ରଚି

କରିବି ସ୍ଥିର

ହେଉ ଅନୁମତି

ଏ ବିଷୟ ପ୍ରତି

ରଖନ୍ତୁ ଏତିକି

କଥା ମୋହର । ୨୧ ।

ନାସ୍ତିବାକ୍ୟ ପ୍ରତି

ବିଳମ୍ବ ସ୍ୱୀକୃତି

ଆତୁରଙ୍କ ପକ୍ଷେ

ଦିଏ ଆନନ୍ଦ

ଏଣୁ ଭଞ୍ଜ ଭୂପ

କହିଲେ ତୁରିତ

‘ତଥାସ୍ତୁ’ ମେଣ୍ଟାଇ

ମନର ସଧ । ୨୨ ।

 

-ଚତୁର୍ଥ ସର୍ଗ-

 

ବିଦାୟ ଗ୍ରହଣ

କରି ଶିଳ୍ପୀରତ୍ନ

ସାନନ୍ଦେ ସଦନେ

ମିଳିଲା ଯାଇ ।

ମନ୍ତ୍ରଣା ନିଜର

ହେଲୁ ଫଳଭର

ଜଣାଇଲା ତୋଷେ

କୁଟୁମ୍ବ ରାଇ । ୧ ।

ତନୟା ସହିତ

ପରିବାର ବର୍ଗ

ପେଷି ଦେଇ ହରି

ପଡ଼ୋଶୀ ରାଜ୍ୟେ ।

ଭାଇର ଗହଣେ,

ପ୍ରତିମା ନିର୍ମ୍ମାଣେ

ଲଗାଇଲା ମନ

ଆଦରି ଭାଗ୍ୟେ । ୨ ।

ମାନସ ପଟରେ

ଆଙ୍କିଲା ପହିଲେ

ଯୁବତୀ କନ୍ୟାର

ରୂପ ବିଚାରି ।

ତାପରେ ମାଦଳୀ

କଲା ନିରିମାଣ

ପାଳଧଆ କାଷ୍ଠେ

ଛାଞ୍ଚ ତିଆରି । ୩ ।

ଅଙ୍ଗ ପ୍ରତିଅଙ୍ଗ

ଗତି ସୁଯତନେ

ଖଞ୍ଜିଲା ତହିଁରେ

କଳ କୌଶଳେ

ଜୀବିତମାନବ

ଅଙ୍ଗ ସଂଚାଳନ

କରଇ ଯେପରି

ପ୍ରକୃତି ବଳେ । ୪ ।

ମସ୍ତକ ଖଞ୍ଜିଲା

ଅଦ୍ଭୂତ ଉପାୟେ

ସେ କେବଳ ଜାଣେ

ସେହି କୌଶଳ

ଟିପି ଦେଲେ ଛାତି

ବୁଲିଯାଏ ମଥା

ସତେକି ଏ ବିଶ୍ୱ—

କର୍ମ ବିଶ୍ୱର । ୫ ।

ନେତ୍ରପାଇଁ କାଚ

ଡୋଳା ଖଞ୍ଜିଦେଲା

ମଧ୍ୟରେ ତାରକା

ଦ୍ୱୟ ବସାଇ

ଲମ୍ଫ ଯନ୍ତ୍ରବଶ୍ୟେ

ଅନିଳ ସ୍ପରଶେ

ଡୋଳାଦ୍ୱୟ ସଦା

ଚହଲୁ ଥାଇ । ୬ ।

ଚଳନ ଶକତି

ରଖି ଆଣ୍ଠୁକତି

ତା ଚାବି ରଖିଲା

ପାପୁଲି ମଧ୍ୟେ ।

ଚାଳିଲେ ପାପୁଲି

ପ୍ରତିମା ଟହଲି

ଚାଲି ଯାଉଥିଲା

ଆଗକୁ ପାଦେ । ୭ ।

ଆଚମ୍ବିତ କଥା

ଆଉ ଏକ ଶୁଣ

ଚିବୁକ ଚିପିଲେ

ଉର୍ଦ୍ଧ୍ୱକୁ ହସ୍ତ

ଉଠି ଯାଉଥିଲା

ବିଶ୍ୱାସ କେ ଯିବ

ଅଦେଖା ଲୋକକୁ

ହେବ ଅସତ୍ୟ । ୮ ।

ଏହିପରି ନାନା

ଯନ୍ତ୍ର ଖଞ୍ଜି ତାରେ

ଚଢ଼ାଇଲା ଖଳି

ଗଢ଼ା ଛାଞ୍ଚରେ

ସୁଷମା ଲହରୀ

ସୁଷମେ ଖେଳାଇ

ଲଗାଇଲା ମନ

ଅବଶିଷ୍ଟରେ । ୯ ।

ଡାଳିମ୍ବ ଦଶନ

ସ୍ୱହସ୍ତେ ନିର୍ମ୍ମାଣ

କରି ମୁଖ ମଧ୍ୟେ

ଦେଲା ବସାଇ

ଦର୍ଶକର ଚିତ୍ତ

ମୋହି ଦେଲା ଛବି

ଦିଅନ୍ତେ ଅଧରେ

ସ୍ମିତ ଖେଳାଇ । ୧୦ ।

ମୃଗବାଳ ଆଣି

ରୋପିଲା ମସ୍ତକେ

ଯୁବତୀ ନାରୀର

ଶୋଭା ଭଣ୍ଡାର

ସରୁ ଲୋମ ଚକ୍ଷୁ-

ପତାରେ ଦିଅନ୍ତେ

ବଢ଼ିଗଲା ମୁଖ-

ଶୋଭା ବିସ୍ତାର । ୧୧ ।

ଭୃଲତା ଯୁଗଳ

ମଦନ କାର୍ମ୍ମୁକ

ଗଢ଼ି ରୋପିଦେଲା

ରୋମ ତହିଁରେ ।

ଜୀବନ୍ତ ରୂପକୁ

ଧଇଲା ପ୍ରତିମା

ଋଷି ମନ ଭାଙ୍ଗି

ଯିବ ଯହିଁରେ । ୧୨ ।

ପ୍ରତିମାର ଅଙ୍ଗ

ରସାଣିଲା ଦେଇ

ହଳଦିଆ ରଙ୍ଗ

ଆମୂଳ ଚୂଳ

ଖେଳିଗଲା ଅଙ୍ଗେ

କମନୀୟ କାନ୍ତି

ନ ରହିଲା ବିଶ୍ୱେ

ତା ସମତୁଲ । ୧୩ ।

ବକ୍ଷୋଜ ଜଘନ

କନ୍ଦର୍ପ ସଦନ

ନିଶାଣିଲା ଆଦି—

ରସକୁ ଦେଇ ।

ନୀଳୋତ୍ପଳ କାନ୍ତି

ଫୁଟାଇ ନୟନେ

ଓଷ୍ଠ ଦୁଇଟିକୁ

ଦେଲା ରଙ୍ଗେଇ । ୧୪ ।

ତିଳପୁଷ୍ପ ସମ

ନାସିକା ଗଢ଼ଣ

ବଦନ ଶୋଭାର

ମୂଳ ଭଣ୍ଡାର

ବିକଚ ପଙ୍କଜ

ବଦନର ଶୋଭା

କିବା ଅକଳଙ୍କ

ଚନ୍ଦ୍ରମା ସାର । ୧୫ ।

ଏହିପରି ଗଢ଼ି

କନ୍ୟାର ସାଦୃଶ୍ୟ

ବିଭୂଷଣେ ତାର

ବଳିଲା ମନ ।

ପାଶେ ଥିଲା ଯେତେ

ଭେଲ ଆଭରଣ

ଆଣି ଏକତ୍ରିତ

କଲା ବହନ । ୧୬ ।

ବାଛି ବାଛି ତହୁଁ

କରିଲା ବାହାର

ମନୋନୀତ ହେଲା

ଯହିଁକି ଯାହା

ଗୋଟି ଗୋଟି କରି

ଖଞ୍ଜିଲା ତନୁରେ

ସ୍ମରି କନ୍ୟାରୂପ

ନେଇଣ ତାହା । ୧୭ ।

* ଝୁମ୍ପା ଝରା କାଠି

ପ୍ରଥମେ ଖଞ୍ଜିଲା

ରୂପା ପାତିଆକୁ

ଖୋସାରେ ଦେଇ ।

ତା ପରେ ରାଗିଡ଼ି-

ମାଳ ଖଞ୍ଜିଦେଲା ।

ଯୋଷା ରତନର

ଭୂଷା ବଢ଼େଇ । ୧୮ ।

ଝିଙ୍କାହାର ଦୁଇ

ଶ୍ରବଣେ ପିନ୍ଧାଇ

ଖୋସି ଦେଲା ଅଗ୍ର

ନେଇ ଖୋସାରେ ।

ମସ୍ତକ ପୃଷ୍ଠରେ

ଖଞ୍ଜିଲା ରାଗିଡ଼ି

ହଳଦୀ ଫଡ଼ାକୁ

ରଖି ଆଗରେ । ୧୯ ।

 

* ଏଥିରେ ଯେଉଁ ଅଳଙ୍କାରଗୁଡ଼ିକର ନାମୋଲ୍ଲେଖ ରହିଛି, ସେ ଗୁଡ଼ିକ ଶପ୍ତଦଶ ଶତାବ୍ଦୀର ସମାଜିକ ଆଭରଣ । ଆଜିକାଲି ସେ ଗୁଡ଼ିକର ବ୍ୟବହାର ଆଦୌ ନାହିଁ କହିଲେ ଚଳେ-। କେବଳ ନିମ୍ନ ଶ୍ରେଣୀର ସ୍ତ୍ରୀମାନେ ସେଥିମଧ୍ୟରୁ କେତେ ଅଳଙ୍କାର ବ୍ୟବହାର କରୁଥିବା ଜଣାଯାଏ । ଯେ ଅଳଙ୍କାର ଦିନେ ଭଦ୍ରମହିଳାମାନଙ୍କର ପ୍ରିୟତମ ଜିନିସ ଥିଲା, ଆଜି ତାହା ପରିତ୍ୟକ୍ତ । ଏହି ତ ପରିବର୍ତ୍ତନଶୀଳ ପ୍ରକୃତିର ନୀତି ।

 

 

ତା ଅଗ୍ରେ ଖଞ୍ଜିଲା

ନେଇ ପାନପତ୍ର

ଶିଖର ମଣ୍ଡନ

ହୋଇଲା ଶେଷ ।

ଶ୍ରୁତି ଯୁଗଳରେ

କର୍ଣ୍ଣଫୁଲ ଖଞ୍ଜି

ତା ଊର୍ଦ୍ଧ୍ୱେ ରଖିଲା

ଗୁଣା ବିଶେଷ । ୨୦ ।

ଗୁଣାପାଶେ ମଲ୍ଲ—

କତି ଲଗାଇଲା

ତଳେ ବାଡ଼ି ପେଣ୍ଡି

ଝଲକା ଦ୍ୱୟ ।

ଯତନେ ପିନ୍ଧାଇ

ଭାଳିଲା ମାନସେ

ଦୁହିତା ସରାଜ

ଭୂଷା ନିଚୟ । ୨୧ ।

ନାସିକା ମଣ୍ଡନେ

ବଳାଇଲା ମନ

ରତ୍ନଶୋଭା ଜିଣା

ଦଣ୍ଡି ମଣ୍ଡିଲା ।

ଅପସରା ଶୋଭା

ନୁହେ ମନଲୋଭା

ଏ ଭାବନା ତାର

ମନେ ଜାଗିଲା । ୨୨ ।

ନାକଚଣା ପାଶେ

ଲୋଥକୁ ପିନ୍ଧାଇ

ହଂସ ଗୁଣା ଯତ୍ନେ

ତହିଁ ଖଞ୍ଜିଲା ।

କାଳୋଚିତ ଶୋଭା

ନାରୀମନ ଲୋଭା

ଦେଖି ଧୈର୍ଯ୍ୟଯୁବା

ମୃତ୍ୟୁ ଭଜିଲା । ୨୩ ।

କଣ୍ଠ ବିଭୂଷଣେ

ପ୍ରଥା ଭାଳି ମନେ

କୁମ୍ଭ କଣ୍ଠିହାର

ଦେଲା ପ୍ରଥମେ ।

ଅପଚା କଣ୍ଠିର

ହାର ତାର ତଳେ

ଲଗାଇ ହରଷ

ଲଭିଲା ମନେ । ୨୪ ।

ସୋରସିଆମାଳ

ଧାନୁଆଁ ଆବର

କାନ୍ଦୁଲ ଫାଳିଆ

ହାରକୁ ନେଇ ।

କରି ତଳ ତଳ

ପିନ୍ଧାଇ ସକଳ

କଳି ନେଲା ଶୋଭା

ଚାହିଁ ବଙ୍କେଇ । ୨୫ ।

ଦୁଇ କରେ କାଚ

ଶଙ୍ଖାକୁ ପିନ୍ଧାଇ

ତାର ଦୁଇପାଶେ

ଖଡ଼ୁ ଗୁଞ୍ଜର ।

ରଜତ ରଙ୍ଗର

ତାଡ଼କୁ ପିନ୍ଧାଇ

ବଢ଼ାଇଲା ଶୋଭା

ଅଧିକ ତର । ୨୬ ।

ଅଣ୍ଟା ପାତିଆକୁ

କଟୀରେ ପିନ୍ଧାଇ

ଯୋଡ଼ି ଅଣ୍ଟାସୂତା

ଦେଲା ତା ତଳେ ।

*ତୈଲଙ୍ଗୀ ବାଳାର

ଖ୍ୟାତି ନମ୍ବ୍ର କରି

ନିତମ୍ବ ମାଧୁରୀ

ବଢ଼ିଲା ଭଲେ । ୨୭ ।

ପେଣ୍ଡାମୂଳେ ଦେଲା

ପାହୁଡ଼ ପିନ୍ଧାଇ

ତା ତଳେ ବଳୟ

ଶୋଭା ପାଇଲା ।

ସର୍ବୋପରେ ଅଙ୍କି

ଦ୍ୱୟକୁ ପିନ୍ଧାଇ

ସୌନ୍ଦର୍ଯ୍ୟ ପାନରେ

ତୁଷ୍ଟି ଲଭିଲା । ୨୮ ।

ପାଦ ଅଙ୍ଗୁଳୀରେ

ନେଇ ଗଳାଇଲା

ଝୁଣ୍ଟିଆ ଚିଙ୍ଗୁଡ଼ି–

ଚୋପାର ମୁଦି ।

ବିଦୁ, ରୋହିମାଛ,

ପିଆଜ ଫୁଲରେ,

ମଣ୍ଡିଲା ଅଙ୍ଗୁଳୀ

ଖଟାଇ ବୁଦ୍ଧି । ୨୯ ।

 

* ଭାରତର ବିଭିନ୍ନ ପ୍ରଦେଶର ରମଣୀମାନଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ବାତ୍ସ୍ୟାୟନ ଋଷି କେଉଁ ପ୍ରଦେଶର ରମଣୀ କେଉଁ ବିଶିଷ୍ଟ ଅଙ୍ଗ ପାଇଁ ଖ୍ୟାତି ଲାଭ କରିଛନ୍ତି, ତାହା ବର୍ଣ୍ଣନା କରିଛନ୍ତି । ତୈଲଙ୍ଗ ଦେଶର ରମଣୀମାନେ ଉତ୍ତମ ନିତମ ପାଇଁ ଖ୍ୟାତି ଲାଭ କରିଥିବା କଥା ତାଙ୍କ ରଚନାରୁ ଜଣାଯାଏ ।

 

କପାଳରେ ଅଭ୍ର

ତା ମଧ୍ୟେ ତାରକା

ଆନନର ଶୋଭା

ଦେଲା ବଢ଼ାଇ ।

ଲାକ୍ଷାରସ ବେନି

ପୟରେ ଲଗାଇ

ସୌନ୍ଦର୍ଯ୍ୟ ଭଣ୍ଡାର

ଦେଲା ପିଟାଇ । ୩୦ ।

କୁମ୍ଭପକା ଲାଲ

କବେରୀ ପିନ୍ଧାଇ

ଅବ ଗୁଣ୍ଠନକୁ

ଦେଲା ମଥାରେ ।

ଓଡ଼ିଆ ସଂସ୍କୃତି

ପ୍ରତିରଖି ଦୃଷ୍ଟି

କଳି ନେଲା ଶିଳ୍ପ—

କଳା ସମ୍ଭାରେ । ୩୧ ।

ପୁରାଣ ବର୍ଣ୍ଣିତ

ରମ୍ଭା ମେନକାର

ସୌନ୍ଦର୍ଯ୍ୟ ନିନ୍ଦିଲା

ଗଢ଼ା ପ୍ରତିମା ।

ରାଜାଚିତ୍ତ ଏହା

ଟଳାଇ ପାରିବ

ଜାଗିଲା ମାନସେ

ଏହି ଧାରଣା । ୩୨ ।

 

-ପଞ୍ଚମ ସର୍ଗ-

 

ବିନ୍ଧାଣି ରତନ

ଦୁହିତା ପ୍ରେରଣେ

ବିଳମ୍ବ କରିବା

ଦେଖି ନୃପତି ।

ଅଥୟ ହୋଇଲେ

ସନ୍ଦେହ ଜାଲରେ

ପଡ଼ି ଗଲା ତାଙ୍କ

ମତି ଝଟତି । ୧ ।

ଭାବିଲେ ଯେ ସୁଖ

ଲଭିବାକୁ ଲକ୍ଷ

ଥିଲା ଏ ମନର

ହେଲା ସପନ ।

ରାଜ କାର୍ଯ୍ୟ ଏବେ

ବିଷପରି ଲାଗେ

ଅନଙ୍ଗ ଅଧୀନ

ହେବାରୁ ମନ । ୨ ।

ଅସ୍ଥିର ଅବସ୍ଥା

ଜାତକରି ଚିନ୍ତା

ବିଶେଷ ଭାବରେ

ବଢ଼ାଇ ଦେଲା ।

ଲୋଡ଼ିବା ପ୍ରକାରେ

ସମୟତ ଦେଲି

କେଉଁକଥା ନେଇ

ବିଳମ୍ବ ହେଲା ? । ୩ ।

ପର ପ୍ରେରଣା କି

ବଦଳାଇ ମତି

ନିର୍ଦ୍ଧାରିତ କଥା

ଦେଲା ବିଗାଡ଼ି ।

ଭୌତିକ-ବିପତ୍ତି

ଘଟିଯାଇ କିବା

ଆଶାଲତାକୁ ମୋ

ଦେଲା ଉପାଡ଼ି ? । ୪ ।

ଶତ୍ରୁକି ଏଥିରେ

ଶୋଧ ନେଲା ମୋତେ

ବେଖାତିର କରି

ରାଜାର ଦଣ୍ଡ ?

ଦେଖାଯାଉ ତେବେ

କେ ଅଛି ଏ ଭବେ

ଧନଞ୍ଜୟ ଶକ୍ତି

କରିବ ପଣ୍ଡ । ୫ ।

କରି ଏ ବିଚାର

ନୃପତି ଚାକର

ହକାରି କହିଲେ

ତୁରନ୍ତ ଯାଇ ।

କହିବୁ ହରିକି

କିଂପା ଅନୀତିକି

ପ୍ରଶ୍ରୟ ଦେଉଛି

କା’ ବଳ ପାଇ । ୬ ।

ଧନଞ୍ଜୟ ଭଞ୍ଜେ

ଦିଏ ଅପମାନ

ଜାଣି ନାହିଁ କି ସେ

ତା ପରିଣାମ ?

ନାଗସର୍ପ ବିଳେ

ହସ୍ତ ପୂରାଇଲେ

କି ଫଳ ଭୋଗିବ

କରୁ ସେ ଜ୍ଞାନ । ୭ ।

କିଏ ନ ଜାଣଇ

ପରାକ୍ରମ ମୋର

କାଳିଆ ନାଗ ମୁଁ

ରାଗିଲେ ଥରେ ।

ଦେବି ଧ୍ୱଂସ କରି

ସର୍ବସ୍ୱ ତାହାରି

ଦୁଃସାହସ କର୍ମ

କିଂପା ଆଚରେ । ୮ ।

ସ୍ୱବାକ୍ୟ ରକ୍ଷଣେ

ଅସମର୍ଥ ହେଲେ

ମନୁଷ୍ୟରେ ଗଣା

ଯାଏ କି କେହି ?

ସଦଜ୍ଞାନ ଥିଲେ

କିଞ୍ଚିତେ ତାଠାରେ

ଛାଡ଼ି ଦେଉ ଶୀଘ୍ର

କନ୍ୟାକୁ ନେଇ । ୯ ।

ଖରତରେ ତହୁଁ

ଚଳିଲା ଚାକର

ବାଲିପଦରରେ

ଯାଇ ମିଳିଲା ।

ବିନ୍ଧାଣୀ ରତନ

ସମୀପେ ପ୍ରବେଶି

ରାଜାଙ୍କ ଆଦେଶ

ଜଣାଇ ଦେଲା । ୧୦ ।

କହିଲା ହେ ହରି !

ଜାଣିଶୁଣି କରି

ରାଜାର ବିରୋଧ

କିମ୍ପା ଆଚରୁ ।

ସମୟ ଗଡ଼ାଇ

ରାଜାରେ ରଗାଇ

ମୃତ୍ୟୁ ଓସ କିମ୍ପା

ମୁଖରେ ଭରୁ । ୧୧ ।

ଦେଇ ତୁ ବଚନ

ନ କଲେ ପାଳନ

ପରିମାଣ ତାର

କିଏ ଭୋଗିବ ?

ବୃଥାରେ ବିଳମ୍ବ

କରି ମନେ ଦମ୍ଭ

ଧଇଲେ କି କେହି

ରକ୍ଷା ପାଇବ ? । ୧୨ ।

ଭୃତ୍ୟ ବାକ୍ୟ ଶୁଣି

କହିଲା ବିନ୍ଧାଣୀ

କିଂପାଇ ସଂଦେହ

କରନ୍ତି ସାଇଁ ?

କନ୍ୟା ଛାଡ଼ିବାଟା

କି ନିଷ୍ଠୁର ପ୍ରଥା

ଅନୁଭୂତି କିବା

ରାଜାଙ୍କ ନାହିଁ । ୧୩ ।

ବନବାସୀ ୠଷି

ବିଷାଦେ ବିଳସି

ଢାଳି ଥିଲେ ପରା

ନୟନୁ ନୀର ?

ପାଳିତା କନ୍ୟାକୁ

ପତି ମନ୍ଦିରକୁ

ଛାଡ଼ିଲେ ଯେଦିନ

ହୋଇ ସ୍ଥବିର ? । ୧୪ ।

କୁଟୁମ୍ବ ଜଞ୍ଜାଳ

ନ ଥିଲା ତାଙ୍କର

ଜ୍ଞାନୀ ହୋଇ ଯଦି

ଅଧୀର ଏତେ ।

ମୋପରି ଅଜ୍ଞାନୀ

କନ୍ୟା ଅଭିମାନୀ

ଲୋକର ବିଷାଦ

ନ ହେବ କେତେ ? । ୧୫ ।

ବିଳମ୍ବର ଦୋଷ

ଆରୋପନ୍ତି ଯାହା

କହୁଛି ବୁଝାଇ

ଦେବ ରାଜାଙ୍କୁ ।

ଯେ ସକଳ କର୍ମ

ଦଇବୀ ଅଧୀନ

ସମର୍ଥ କାହାର

ନିବାରିବାକୁ ? । ୧୬ ।

କହିଥିବା ପରି

ଅଡ଼ୁଆ ତୁଟାଇ

କନ୍ୟା ଧରି ଯିବା

ଯୋଗାଡ଼େ ଥିଲି ।

ଋତୁମତୀ ହେଲା

ସେ ଦିନ ଦୁହିତା

ବିଳମ୍ବ କଥା କି

ମୁହିଁ ପାଞ୍ଚିଲି ? । ୧୭ ।

ଏହା କହି ହରି

ରାଜ କର୍ମଚାରୀ

ବିଦାୟ ଦେଇଣ

କନ୍ୟା ସାଜରେ ।

ବଳାଇବା ମନ

ଦେଖିଣ ବହନ

ଫେରିଗଲା ଭୃତ୍ୟ

ରାଜ ନବରେ । ୧୮ ।

 

-ଷଷ୍ଠ ସର୍ଗ-

 

ଚାହୁଁ ଚାହୁଁ ଦିନ

ହେଲା ଅବସାନ

ମିହିର ଚଳିଲେ

ଅସ୍ତ ଶିଖର ।

ଆଲୋକ ହରାଇ

ଧରଣୀ ରାଣୀର

ତୁଟିଗଲା ଶିରୀ

ଶୋଭା ସତ୍ୱର । ୧ ।

ପ୍ରାଚୀଦିଗ ଗିରି

କନ୍ଦରୁ ନିଝରି

ପ୍ଳାବିଲା ତାମସୀ—

ଝରଣା ଧୀରେ ।

ଘୋଟିଗଲା ଦେଖୁଁ

ଦେଖୁଁ ଦଶଦିଗ

ଜନମାଇଁ ଭୀତି

ପ୍ରାଣୀ ମତିରେ । ୨ ।

କାହିଁ ଗଲା ଚାଲି

ଚହଳ ଗହଳ

ନିଶାଚରେ କିବା

କଲା ଆଶ୍ରୟ ?

ସହର ବିପଣି

ମଧ୍ୟରେ ଭ୍ରମଣି

କରିଲା କି ନିଜ

ଜୀବନ ଥୟ ? । ୩ ।

ପଶୁପକ୍ଷୀ ଆଦି

ଯେତେ ରାତ୍ରିଚର

ଅନ୍ଧକାରେ ଧରା

ବୁଡ଼ିବା ଦେଖି ।

ବାହାର ହୋଇଲେ

ହରଷ ମନରେ

ସେ ଆନନ୍ଦ କିଏ

ପାରିବ ଲେଖି ? । ୪ ।

କା’ର ପୁଷମାସ

କା’ର ସର୍ବନାଶ

ଲାଗିଛି ସଂସାରେ

ଏ ଲୀଳା ଖେଳା ।

ଆନନ୍ଦେ ବିଭୋର

ହେଲାବେଳେ କିଏ

କେ ବସି କାନ୍ଦଇ

ହରାଇ ଭେଳା । ୫ ।

ହୀରକ ଖଚିତ

ନୀଳ ଆସ୍ତରଣ

ମହା ଅନ୍ତରୀକ୍ଷ

ବିଛାଇ ଦେଇ ।

ରଜନୀ ସୁନ୍ଦରୀ

ପ୍ରକୃତି ଆଦରି

କୃଷ୍ଣ କବେରୀକି

ପିନ୍ଧିଲା ନେଇ । ୬ ।

କାନ୍ତ ପରବାସୀ

ମିଳନେ ଲାଳସୀ

ହୋଇ ଆୟୋଜନ

କଲା ହରଷେ ।

ନିସର୍ଗ ଭଣ୍ଡାର

ଫିଟାଇ ସତ୍ୱର

ଆଣିଲା ସାମଗ୍ରୀ

ଭେଟି ସକାଶେ । ୭ ।

ପର୍ବ ଶର୍ବରୀଶ

ଭେଦି ପୂର୍ବ ଦିଶ

ବିଜେ ହେଲେ ନଭେ

ବିଲୋକି ରାଣୀ

ଆଳତୀ ସକାଶେ

ନକ୍ଷତ୍ର-କର୍ପୂର

ଜାଳି ନଭ ପାତ୍ରେ

ଧଇଲେ ଆଣି । ୮ ।

ନିଶି ପ୍ରସ୍ଫୁଟିତ

ଯେ ସକଳ ପୁଷ୍ପ

ବିତରନ୍ତି ଗନ୍ଧ

ଭବ ଉଦ୍ୟାନେ ।

ନିଉଁଛାଇବାକୁ

କଲେ ସେ ଚୟନ

ସଜାଡ଼ି ରଖିଲେ

ଅତି ଯତନେ । ୯ ।

ଏ କାଳେ ଉଲ୍ଲୁକେ

ଦେଲେ ହୁଳହୁଳି

ବାୟସାରୀ ମିଳି

ଧଇଲେ ତାନ ।

ମଜ୍ଜିଗଲା ମନ

ରଜନୀ ନାହାର

ପ୍ରେମେ ଜଡ଼ି କଲେ

ଆଶ୍ଲେଷ ଦାନ । ୧୦ ।

ଶୁଭ୍ର ସତ୍ୱାଧିକ

ମୟୂଖା ବଳୀରେ

ତାମସ-ତାମସୀ

ଗଲା ମିଳାଇ

ସାତ୍ୱିକ ପ୍ରେମରେ

ବୁଡ଼ିଲା ଧରଣୀ

ଯା ଲଭେ ଯୋଗୀଏ

ନିରତେ ବାଇ । ୧୧ ।

ଏସନ ସମୟେ

ବିଧାତା ସୁମରି

ଅମୃତ ବେଳାରେ

ଶିଳ୍ପୀ ରତନ ।

ଚଳିଲା ରାଜାର—

ସମୀପେ କନ୍ୟାର

ପ୍ରତିମୂର୍ତ୍ତି ଧରି

ମନ ଉଚ୍ଛନ୍ନ । ୧୨ ।

ମିଳିଲା ସବାରୀ

* କୁଲ୍ଲାଗଡ଼ ଗିରି—

ଆଶ୍ରିତ ଦୁର୍ଜ୍ଜୟ

ଦୁର୍ଗରେ ଯାଇ ।

ରାତ୍ରୀର ପ୍ରଥମ

ଯାମ ଭୋଗ ବେଳେ

ଋଣ୍ଡ ହେଲେ ନାରୀ

ସଂବାଦ ପାଇ । ୧୩ ।

ବିନ୍ଧାଣୀ କହିଲା

ପରିଚାରୀ ଗଣେ

ଟାଣ ଟେରା ବାଡ଼

ଓହ୍ଲିବ କନ୍ୟା

ଓହାଡ଼ ମଧ୍ୟରେ

ଚଲାଇ ନେବାରେ

କନ୍ୟା ରୂପ ଦେଖି

ବୋଇଲେ ଧନ୍ୟା । ୧୪ ।

ପ୍ରଶଂସା ହଲରୀ

ଖେଳିଗଲା ତହୁଁ

ସମବେତା ନାରୀ-

ସାଗର ପରେ

ଏଡ଼େ ରୂପବତୀ

ହୋଇ ନ ଥିଲେ କି

ରାଜା ମନ ମଜ୍ଜି

ଯାଆନ୍ତା ଖରେ । ୧୫ ।

ଗୋରା ତକ ତକ

କି ସୁନ୍ଦର ଦେହ

କେତକୀ ପାଖୁଡ଼ା

ସମତା ଶୋଭା ।

ସତେକି ଗୋଟିଏ

ଚାଉଳରେ ଗଢ଼ା

କିଂପା ସେ ନୋହିବ

ରାଜାର ଲୋଭା ? । ୧୬ ।

ଅଷ୍ଟ ଅଳଙ୍କାର

ମଣ୍ଡିଅଛି ଦେହେ

ଯୋଷା ନେଇ ସିନା

ଭୂଷା ସୁନ୍ଦର ।

ଜନ୍ମରୁ ସୁନ୍ଦରୀ

ଅଟେ ଯେଉଁ ନାରୀ

କିଂପା ଲୋଡ଼ା ତାର

ଏ ମଣ୍ଡନର । ୧୭ ।

ଭାବନା-ପୀଡ଼ିତ

ବିନ୍ଧାଣୀର ଚିତ୍ତ

ପ୍ରଶଂସା ଶ୍ରବଣେ

କେଣେ ବଳିବ ?

ଅନୁସରୀ ଭାବୀ—

ଭାବନା-ସରଣୀ

ଚଞ୍ଚଳରେ ମନ

ଧାବିତ ଥିବ । ୧୮ ।

ଥାପି ଦେଲା ନେଇ

ଦୁହିତା ପ୍ରତିମା

ପ୍ରାସାଦର ଏକ

ରମ୍ୟ ଭବନେ ।

ସୁବାସ ସୁମନ

ହାର ଦେଇ ହସ୍ତେ

ଫେରିଲା ଗୁପତେ

ତହୁଁ ବହନେ । ୧୯ ।

ବିଦାୟ ନ ନେଇ

ପଳାଇଲେ ସର୍ବେ

ତହିଁରେ ରାଜା କି

କରେ ଶୋଚନା ?

ବାଞ୍ଛିତ ପଦାର୍ଥ

ହେଲେ କରଗତ

ଦାତା କଥା କିଏ

କରେ ଭାବନା ! । ୨୦ ।

ଦାସୀ ମୁଖୁଁ ଶୁଣି

ସଂବାଦ ନୃମଣି

ଆନନ୍ଦେ ମିଳିଲେ

ଯାଇ ସେ ସ୍ଥାନ

କିଚକ କି ଅବା

ପହଁଚିଲା ଯାଇ

ସଇରିନ୍ଦ୍ରୀଙ୍କର

ତୋଷିବ ମନ । ୨୧ ।

ଅଥବା କାମୁକ

ମିଳିଲାକି ତହିଁ

କରିବାକୁ କ୍ଲୀବ

ରମଣୀ ଭୋଗ ।

ଘଟିଗଲା ଯାହା

ବିଚାରିଲେ ଏହା

କବି ଭାବନାରେ

ହୁଅଇ ଯୋଗ । ୨୨ ।

ଆଲୋକେ ରୂପସୀ

ଯୁବତୀ-ଛବିକି

ଦେଖି ଫୁଲିଗଲା

ଛାତି ନୃପର ।

କୃପଣ କି ଅବା

ଲଭିଲା ରତନ

ବାମନ ପାଇଲା

କି ନିଶାକର ? । ୨୩ ।

କାଳରୁ ବାଞ୍ଛିତ

ବାସନା ତୁରିତ

ପୂରିତ ହୋଇଲେ

ମନ ଯେସନ ।

ଆନନ୍ଦ ସାଗରେ

ବୁଡ଼ିଯାଏ ଖରେ

ନରପତି ମତି

ହେଲା ତେସନ । ୨୪ ।

ଏସନ ସମୟେ

ମାର ପଞ୍ଚଶର

ଯୋଖି ବିନ୍ଧିଦେଲା

ନୃପ ହୃଦୟେ ।

ବିହ୍ୱଳିତ ମତି

ହୋଇଗଲା ଅତି

ବିବେକ ହାରିଲେ

ନୃପ ଅଥୟେ । ୨୫ ।

ଚାଟୁବାଣୀ କେତେ

ଭାଷିଲେ ତାହାରେ

ନ ଶୁଣିଲା କନ୍ୟା

ଲେଶ କିଞ୍ଚିତ ।

ପ୍ରତିମା କି କେବେ

ଦିଅନ୍ତା ଉତ୍ତର

ଅବିବେକୀ ରାଜା

ହେଲା ବଞ୍ଚିତ । ୨୬ ।

ଅସମ୍ଭାଳେ ନୃପ

ମାନିନୀ ସମୀପ

ମିଳି ପକାଇଲେ

ଚିବୁକେ ହସ୍ତ ।

ମାନ ଭଞ୍ଜନର

କଲେ ଅଭିନୟ

ଘଟିଗଲା ଯାହା

କଲା ତଟସ୍ଥ । ୨୭ ।

ଚିପିଦେବା ମାତ୍ରେ

ପ୍ରତିମା ଚିବୁକ

କରଦ୍ୱୟ ଉଠି

ଗଲା ଉର୍ଦ୍ଧ୍ୱକୁ ।

ବିସ୍ମୟ ସରଜି

ଓହ୍ଲାଇଲା ତଳେ

ମାଳାରେ ବରଣ

କରି ନୃପକୁ । ୨୮ ।

ସଙ୍ଗେ ସଙ୍ଗେ ଅନ୍ୟ

କରରେ ପ୍ରହାର

କଲା ସେ ପ୍ରତିମା

ନୃପତି ଅଙ୍ଗେ ।

ଏହା ଦେଖି ନୃପ

ହୋଇଲେ ଅବାକ୍‌

କାଠ ପାଲଟିଲା

ମନ ବିଭଙ୍ଗେ । ୨୯ ।

କି ଉଦ୍ଦେଶ୍ୟ ନେଇ

ବିନ୍ଧାଣୀ ରତନ

ପ୍ରତିମା ହସ୍ତରେ

କଲା ଏ କର୍ମ ।

ବିଚାରିଲେ ଚିତ୍ତେ

ପାଠକେ କିଞ୍ଚିତେ

ବୁଝିବେ ଉଚିତ

କର୍ମର ମର୍ମ । ୩୦ ।

ସ୍ପର୍ଶ କଲାବେଳୁ

ଜାଣିଲେଣି ନୃପ

ବିସ୍ମିତେ ପ୍ରତିମା

ରହିଲେ ଚାହିଁ ।

କ୍ରୋଧ ପ୍ରଶଂସାର

ମଧ୍ୟେ ଉପୁଜିଲା

ପ୍ରବଳ ବିବାଦ

ଘଟନା ପାଇ । ୩୧ ।

ଅବିବେକୀ ହୃଦେ

କ୍ରୋଧ ନେଲା ଜୟ

ନିରାଶେ ରାଜନ

ତହୁଁ ଫେରିଲେ ।

ସମୁଚିତ ଦଣ୍ଡ

ଦେବି ବିନ୍ଧାଣୀରେ

ମନେ ଏହି କଥା

ଦୃଢ଼େ ପାଞ୍ଚିଲେ । ୩୨ ।

କର୍ଣ୍ଣରୁ କର୍ଣ୍ଣକୁ

ପ୍ରସରିଲା କଥା

ଜନ ସମାଜରେ

ହେଲା ପ୍ରଚାର ।

ଠୂଳ ହେଲେ ଲୋକେ

ଦେଖିବା ଆଶାରେ

ବିନ୍ଧାଣୀ ଛବିର

ରୂପ ସମ୍ଭାର । ୩୩ ।

ତନ୍ନ ତନ୍ନ କରି

ଦେଖିଲେ ସକଳେ

ଅଙ୍ଗ ପ୍ରତିଅଙ୍ଗ

ଶିଳ୍ପ କୌଶଳ ।

ଆଚମ୍ବିତେ ଦୃଷ୍ଟି

ନୋହିଲା ସଂଯତ

ମାନସିକ ବେଗ

ମାନିଲା ହାର । ୩୪ ।

ସମସ୍ୱରେ ସର୍ବେ

ପ୍ରଶଂସି ଶିଳ୍ପୀରେ

ରାଜାଙ୍କ ଛାମୁରେ

ମିଳିଲେ ଯାଇ ।

ଆଶ୍ୱାସନା ବାଣୀ

ଶୁଣାଇ ରାଜାରେ

ପ୍ରବୋଧିଲେ କ୍ରୋଧ

ଶାନ୍ତ କରାଇ । ୩୫ ।

ଯେ ଦେଶେ ଜନମି

ବର କାରିଗର

କାଷ୍ଠରେ ମୂରତି

ଗଢ଼େ ସଜୀବ

ସେ ବିନ୍ଧାଣୀ ନାମ

ଶିଳ୍ପ ଇତିହାସେ

ସ୍ୱର୍ଣ୍ଣାକ୍ଷରେ ଚିର

ଦିନ ରହିବ । ୩୬ ।

ଏପରି ଶିଳ୍ପୀକି

ଦଣ୍ଡ ଉଚିତ କି

ଅରଜିବେ ସିନା

ନିନ୍ଦା ଅପାର ।

କରନ୍ତୁ ଭାବନା

ଆହେ ମହାମନା

ଯୋଗ୍ୟ ପୁରଷ୍କାର

ମିଳୁ ତାହାର । ୩୭ ।

ଜନ ସାଧାରଣ

କର୍ମଚାରୀ ଗଣ

ଦେଲୁ ପରାମର୍ଶ

ମିଳିତ କଣ୍ଠେ ।

ର-ଜା-ଙ୍କ ମନ ତ

ଅସ୍ଥିର ନିରତ

କହିଲେ କରିବି

ଭାବି ନିକଟେ । ୩୮ ।

 

* ଅନେକ ବର୍ଷ ପୂର୍ବେ କୁଲ୍ଲା ନାମକ ଜଣେ କନ୍ଧ ଦଳପତି କୁଲ୍ଲାଡ଼ ଗ୍ରାମ ନିକଟରେ ଗୋଟିଏ ଗଡ଼ ନିର୍ମାଣ କରି ରାଜତ୍ୱ କରୁଥିଲା । ଭଞ୍ଜବଂଶର ପ୍ରଥମ ରାଜା ତାହାକୁ ପରାସ୍ତ କରି ସେଠାରେ ରାଜ୍ୟ ସ୍ଥାପନ କରିଥିଲେ । ସେହି କନ୍ଧ ଦଳପତିର ନାମାନୁସାରେ ସେହି କ୍ଷୁଦ୍ର ଗ୍ରାମଟିକୁ କୁଲ୍ଲାଗଡ଼ ନାମରେ ନାମାଙ୍କିତ କରାଯାଇଥିଲା । ଏହା ଥିଲା ଭଞ୍ଜ ରାଜାମାନଙ୍କର ମୂଳ ଦୁର୍ଗ । ରାଜ ପ୍ରାସାଦ ମଧ୍ୟ ଏହାର ଅନ୍ତର୍ଗତ ଥିଲା । କୁଲ୍ଲାଡ଼ ଗଡ଼ର ଅଧିଷ୍ଠାତ୍ରୀ ବାଗଦେବୀ ଯେଉଁଠାରେ ବିଦ୍ୟମାନ, ତାର ଠିକ୍‌ ପଶ୍ଚିମ ଦିଗକୁ ଥିବା ଏକ ପାହାଡ଼ର ପାଦ ଦେଶରେ ଭଞ୍ଜ ରାଜାମାନଙ୍କର ପ୍ରାସାଦ ଓ ଦୁର୍ଗର ଭଗ୍ନାବଶେଷକ ଏବେ ଦେଖାଯାଏ । ଏହି ଦୁର୍ଗ ଅଧିକାର କରିବାକୁ ଇଂରେଜ ସୈନ୍ୟଙ୍କୁ ଊଣା ହରକତ ହେବାକୁ ପଡ଼ି ନଥିଲା । କାରଣ ଭଞ୍ଜରାଜ୍ୟର ଅଠର ଗୋଟି ଦୁର୍ଗ ମଧ୍ୟରୁ ଏହି ଦୁର୍ଗଟି ଥିଲା ଅତ୍ୟନ୍ତ ଶକ୍ତିଶାଳୀ ।

 

-ସପ୍ତମ ସର୍ଗ-

 

ଲାଳସା-ଚପଳ

ମତି ନୃପତିର

ବଦଳିଲା ଶୁଣି

ଭଦ୍ର ବଚନ ।

ଘୋଷଣା କଲେ ସେ

ଡକାଇବେ ସଭା

ବିନ୍ଧାଣୀ ପ୍ରତିଭା

ହେବ ଗାୟନ । ୧ ।

ବସିଗଲା ତହୁଁ

ରାଜ ଦରବାର

ବିବୁଧ ମଣ୍ଡଳୀ,

ବିଶିଷ୍ଟ ପ୍ରଜା,

ରାଜ କର୍ମଚାରୀ

ସହ ରାଜ୍ୟଶିଳ୍ପୀ

ଆସି ଯୋଗଦେଲେ

ଆଦେଶେ ରାଜା । ୨ ।

ହକାରୀ ଆଣିଲେ

ବିନ୍ଧାଣୀ ହରିକି

ଜନମାଇଁ ତାରେ

ଦୃଢ଼ ବିଶ୍ୱାସ ।

ହେବ ପୁରଷ୍କୃତ

ଲଭି ରାଜଦତ୍ତ

ଭୂମି ମୁଦ୍ରା ସହ

ସୁପଟ୍ଟ ବାସ । ୩ ।

ଏ ବାହାରେ ବହୁ

ଦର୍ଶକ ବିଦେଶୀ

ଆସି ସେ ସଭାରେ

ହେଲେ ଏକତ୍ର ।

ଦେଖିବେ କିପରି

ଜଣେ କାରିଗର

ଗଢ଼ିଛି ପ୍ରତିମା

ଅତି ବିଚିତ୍ର । ୪ ।

ଭଞ୍ଜ ନରପତି

ସିଂହାସନୁ ଉଠି

ଆଦେଶରେ ଶିଳ୍ପୀ

ହରିକି ଚାହିଁ ।

ପ୍ରତିମା ଅଙ୍ଗରେ

ଯେ କଳ କୌଶଳ

ଖଞ୍ଜିଛ ସକଳ

ଦିଅ ବୁଝାଇ । ୫ ।

ସଭା ମଧ୍ୟେ ଥାପି

ଅପୂର୍ବ ପ୍ରତିମା

ବାହାର କରନ୍ତେ

ଅଙ୍ଗ ବସନ ।

ବିଲୋକି ସେ ରୂପ

ହେଲେ ସର୍ବ ମୂଳ

ବସିଥିଲେ ଯେତେ

ସଭାରେ ଜନ । ୬ ।

କଳା କଉଶଳ

ଶିଳ୍ପ ପରିପାଟୀ

ବର୍ଣ୍ଣିଲା ବିନ୍ଧାଣୀ

ହରଷ ମନେ ।

ହେଲୁ ହୃଦବୋଧ

ସଭାସଦ ବର୍ଗ

ନିର୍ବେଦେ ଅନାଇଁ

ରହିଲେ କ୍ଷଣେ । ୭ ।

ବିନ୍ଧାଣୀଏ ଉଠି

ଫୁଲାଇଣ ଛାତି

ପ୍ରଶଂସିଲା ଅତି

ମନ ଗରବେ ।

ରଖିଲ ହେ ହରି !

ଆମ ଜାତି ଟେକ

କୃତ କୃତ୍ୟ ଆଜି

ହେଲୁ ସରବେ । ୮ ।

ଏହି ହସ୍ତ କାମ

ପ୍ରତିମା ଗଢ଼ଣ

ଦିଏ ମୂକ ସାକ୍ଷ୍ୟ

କୋଣାରକର ।

ଦେଖିଲେ ଏ ମୂର୍ତ୍ତି

କିଏ ନ କହିବ

ଏବେ ବି ଅଛନ୍ତି

ଶିଳ୍ପୀ ପ୍ରବର । ୯ ।

ଜଣେ ଜଣେ ତହୁଁ

ଭାଷିଲେ ସଭାରେ

ଗାନ କରି ଗୁଣ

ଶିଳ୍ପ କଳାର ।

ମନ୍ତ୍ରୀ ପରିଷଦ

ଆବର କୋବିନ୍ଦ-

ବୃନ୍ଦ ମାନପତ୍ର

ଦେଲେ ଅପାର । ୧୦ ।

ଶେଷ ଭଞ୍ଜଭୂପ

ଉଠି ଅନୁତାପ

ଜଣାଇ କହିଲେ

ଶିଳ୍ପ ଚାତୁରୀ ।

ପ୍ରଥମ ଦର୍ଶନେ

ଚିହ୍ନି ନ ପାରିଲି

ମନ ଯାଇଥିଲା

ବିରାଗେ ପୂରି । ୧୧ ।

ଓଡ଼ିଶାର ଶିଳ୍ପ-

କଳା ପରିପାଟୀ

ସ୍ୱଳ୍ପ ଗରୀୟସୀ

ନ ଥିଲା କେବେ ।

ପୂର୍ବ ଦ୍ୱୀପପୁଞ୍ଜେ

ନମୁନା ବିରାଜେ

ଓଡ଼ିଆର ଯଶ

ଗାଆନ୍ତି ଏବେ । ୧୨ ।

ଓଡ଼ିଶାର ଶିଳ୍ପୀ

ଆଗ୍ରାରେ ପ୍ରବେଶି

କରି ନଥିଲେ କି

ବିଶିଷ୍ଟ କାମ ।

ତାଜମହଲର

ବିନ୍ଧାଣିତାଲିକା

ମଧ୍ୟରେ ଶୋଭଇ

ଓଡ଼ିଆ ନାମ । ୧୩ ।

ଅର୍କ ମନ୍ଦିରର

ସୂଚୀ ସୂକ୍ଷ୍ମ କାମ

ପ୍ରତିମା ଗଠନ

ଭଙ୍ଗୀ ବିଚିତ୍ର ।

ଦେଶ ବିଦେଶର

ବହୁ କାରିଗର

ଢାଳନ୍ତି ପ୍ରଶଂସା

ଦେଖି ସେ ଚିତ୍ର । ୧୪ ।

ଆଜିର ପ୍ରତିମା

ତାହାରି ନମୁନା

ବଢ଼ାଏ ଗାରିମା

ଏହି ଜାତିର ।

ଅମର କୀରତି

ଅରଜିଲୁ ଶିଳ୍ପୀ

ନାହିଁ ପଟାନ୍ତର

ବର ଖ୍ୟାତିର । ୧୫ ।

କାହୁଁ ଶିଖିଲୁ

ଏ ଅପୂର୍ବ ଗଠନ

କିଏ ଶିଖାଇଲା

କଳ-କୌଶଳ ?

ଧନ୍ୟ ତୋ ଜୀବନ !

ଧନ୍ୟ ତୋ ଜନମ

ଭାବି ମୁଁ ବିସ୍ମିତ

ହୁଏ କେବଳ । ୧୬ ।

ପ୍ରତିମା ଗାତ୍ରରେ

କଳାର ସୌଷ୍ଠବ

ଫୁଟାଇବା ନୁହେଁ

ସହଜ କାମ ।

ଦୈବଶକ୍ତି ବିନା

ଏହା କି ସମ୍ଭବ ?

ଯତ୍ନ ପରାହତ

ଏଥେ ନିଦାନ । ୧୭ ।

ବିଚାରଇ ମୁହିଁ

ଭାରତରେ କେହି

ନ ଥିବେ ବିନ୍ଧାଣୀ

ତୋ ସମକକ୍ଷ

ଶିଳ୍ପ ବିଜ୍ଞାନରେ

ଅରଜିଣ ଗ୍ୟାନ

ଲାଭ କରି ଅନୁ-

ଭୂତି ପ୍ରତ୍ୟକ୍ଷ । ୧୮ ।

ଦେଶ ଜାତି ଟେକି

ରଖିଲୁ ଅଧିକ

ନାହିଁ ତ ସଂଦେହ

ଏଥିରେ ଲେଶ ।

ଗାଉଥିବ ଜାତି

ତୋର ଏ କୀରତି

ଓଡ଼ିଶା ଗୌରବ

ଶିଳ୍ପ ବିଶେଷ । ୧୯ ।

ଷାଠିଏ ଭରଣ

ଫଳବତୀ ଭୂମି

ଶାଢ଼ୀ ମୁଦ୍ରା ସହ

କର ଗ୍ରହଣ ।

ଭୋଗ କର ବଂଶ

ପରଂପରା କ୍ରମେ

ବଢ଼େଇ ଇନାମ

ରହିବ ନାମ । ୨୦ ।

ଏହା କହି ନୃପ

ଦାନ ତାମ୍ରପତ୍ର

ଲେଖି ଟେକି ଦେଲେ

ଶିଳ୍ପୀର ହସ୍ତେ ।

ଯାବତ ଚନ୍ଦ୍ରାର୍କେ

ଭୋଗିବୁ ଏ ଦାନ

ରହିଥିବ କଥା

ଏହି ଜଗତେ । ୨୧ ।

କାଳ ସ୍ରୋତେ ପଡ଼ି

ଘସିଆ ହେଲାଣି

ଶିଳ୍ପ ଚାତୁରୀର

କଥାଟା ଆଜି ।

ରହିଛି ମାତର

ବଢ଼େଇ ଇନାମ-

ଭୂମି କାଳ ବକ୍ଷେ

ସାକ୍ଷୀ ବିରାଜି । ୨୨ ।

Image